24.1 C
Bhubaneswar
Wednesday, November 11, 2026
Homeଓଡିଶାଓଡ଼ିଶାରେ ଜାତୀୟ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା (ECCE) କନକ୍ଲେଭ ଆୟୋଜିତ

ଓଡ଼ିଶାରେ ଜାତୀୟ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା (ECCE) କନକ୍ଲେଭ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ‘ରକେଟ୍ ଲର୍ଣ୍ଣିଂ’ର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତ ଲାଇଫ୍ (LYFE) ହୋଟେଲରେ ଦୁଇଦିନିଆ ‘ଜାତୀୟ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା (ECCE) କନକ୍ଲେଭ’ ଉଦ୍‌ଘାଟିତ ହୋଇଯାଇଛି। ୧୧ ଏବଂ ୧୨ ନଭେମ୍ବରରେ ଆୟୋଜିତ ଏହି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୦ ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପୋଷଣ, ସ୍ୱାସ୍ଥ୍ୟସେବା, ପ୍ରାରମ୍ଭିକ ସକ୍ରିୟତା ଏବଂ ଖେଳ-ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା।

ଉଦ୍‌ଘାଟନୀ ସମାରୋହରେ ବରିଷ୍ଠ ସରକାରୀ ଅଧିକାରୀ, ନୀତି ନିର୍ଦ୍ଧାରକ, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଶେଷଜ୍ଞ ଏବଂ ବିକାଶମୂଳକ ସହଯୋଗୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ, ଓଡ଼ିଶାରେ ECCE କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉପସ୍ଥାପନ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁରୋଗ ବିଶେଷଜ୍ଞ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ପୂର୍ବତନ ଡେପୁଟି ଡାଇରେକ୍ଟର ଡ. ସୌମ୍ୟା ସ୍ୱାମୀନାଥନ୍ ଶିଶୁର ସାରା ଜୀବନର ସ୍ୱାସ୍ଥ୍ୟ, ଶିକ୍ଷା ଓ ବିକାଶ କ୍ଷେତ୍ରରେ ପ୍ରଥମ ଛଅ ବର୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ନୀତି ଆୟୋଗର ପୂର୍ବତନ ସଦସ୍ୟ ଡ. ଭି. କେ. ପଲ୍ ସଶକ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ଶିଶୁ ବିକାଶର ସାମଗ୍ରିକ ଆଭିମୁଖ୍ୟ ମାଧ୍ୟମରେ ECCE କୁ ସୁଦୃଢ଼ କରିବା ଉପରେ ବକ୍ତବ୍ୟ ରଖିଥିଲେ।

‘ଆସ ଖେଳିବା ଆସ ଶିଖିବା’ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ, ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପ୍ରଯୁକ୍ତିବିଦ୍ୟା, ଦକ୍ଷ ଶିକ୍ଷକ ଏବଂ ପିତାମାତାଙ୍କ ସକ୍ରିୟ ଭାଗିଦାରୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାପକ ସ୍ତରରେ ଗୁଣାତ୍ମକ ପ୍ରାରମ୍ଭିକ ଶିଶୁ ବିକାଶ ସେବା ଯୋଗାଇଦେବା ପାଇଁ ସରକାରଙ୍କ ସହ ମିଳିତ ଉଦ୍ୟମର ଆବଶ୍ୟକତାକୁ ସେ ଦୋହରାଇଥିଲେ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ତିନୋଟି ମୁଖ୍ୟ ପଦକ୍ଷେପର ଶୁଭାରମ୍ଭ କରାଯାଇଥିଲା:

* ୦ ରୁ ୬ ବର୍ଷର ଶିଶୁଙ୍କ ପ୍ରାରମ୍ଭିକ ଯତ୍ନ, ଶିକ୍ଷା ଏବଂ ପିତାମାତାଙ୍କ ସହଭାଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଡିଜିଟାଲ୍ ସୂଚନା, ଶିକ୍ଷା ଓ ସଂଚାର (IEC) ସାମଗ୍ରୀ।

* ଶୈଶବର ପ୍ରାରମ୍ଭିକ ବର୍ଷଗୁଡ଼ିକର ଗୁରୁତ୍ୱ ଏବଂ ECCE ଅଧୀନରେ ଉତ୍ତରଦାୟୀ ପାଳନପୋଷଣ (Responsive Parenting) ଉପରେ ଆଧାରିତ ଏକ ଭିଡିଓ।

* ୦ ରୁ ୩ ବର୍ଷ ବୟସର ଶିଶୁଙ୍କ ବିକାଶକୁ ସୁଦୃଢ଼ କରିବା ପାଇଁ ରକେଟ୍ ଲର୍ଣ୍ଣିଂର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସୁପାଳନ’।

ଉଦ୍‌ଘାଟନୀ ସେସନ୍ ଶେଷରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ (ECCE) ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

୦ ରୁ ୬ ବର୍ଷ ଶିଶୁଙ୍କ ବିକାଶ ସମ୍ପର୍କରେ ବିଶେଷଜ୍ଞମାନଙ୍କ ଆଲୋଚନା-

ପ୍ରଥମ ଦିନରେ ପ୍ରାରମ୍ଭିକ ଶିଶୁ ବିକାଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ତିନୋଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା।

୧. ପ୍ରଥମ ତିନି ବର୍ଷ: ସ୍ୱାସ୍ଥ୍ୟ, ପୋଷଣ ଏବଂ ପ୍ରାରମ୍ଭିକ ସକ୍ରିୟତାର ଯତ୍ନ (୦-୩ ବର୍ଷ): ଏହି ସେସନ୍‌ରେ ଆବଶ୍ୟକୀୟ ଯତ୍ନ, ପୋଷଣ, ପ୍ରାରମ୍ଭିକ ସକ୍ରିୟତା ଏବଂ ଓଡ଼ିଶାର ସମୁଦାୟ-ଭିତ୍ତିକ ECCE ମଡେଲ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଜନସ୍ୱାସ୍ଥ୍ୟ ପରାମର୍ଶଦାତା ଡ. ରମ୍ୟା ପିନ୍ନାମାନେନି, କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଏବଂ ଆଇଜିପି ଡ. ସତ୍ୟଜିତ ନାୟକ ପ୍ୟାନେଲିଷ୍ଟ ଭାବେ ଯୋଗଦେଇଥିଲେ। ରକେଟ୍ ଲର୍ଣ୍ଣିଂର ଶିକ୍ଷା ଓ କଣ୍ଟେଣ୍ଟ ଲିଡ୍ ମିସ୍ ସୁଖନା ସାହାନୀ ଏହାକୁ ସଞ୍ଚାଳନ କରିଥିଲେ।

୨. ବିଦ୍ୟାଳୟ ପ୍ରସ୍ତୁତି: ଖେଳ-ଭିତ୍ତିକ ଶିକ୍ଷା ଏବଂ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର (୩-୬ ବର୍ଷ): ଏହି ଆଲୋଚନାରେ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ରୋଡମ୍ୟାପ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଗୁଣାତ୍ମକ ପ୍ରାରମ୍ଭିକ ଶିକ୍ଷା କେନ୍ଦ୍ର ଭାବେ ଗଢ଼ିତୋଳିବା ଉପରେ ଆଲୋକପାତ କରାଯାଇଥିଲା। ପ୍ୟାନେଲିଷ୍ଟ ଭାବେ SPNIWCD ର ଅତିରିକ୍ତ ନିର୍ଦ୍ଦେଶିକା ଡ. ରୀତା ପଟ୍ଟନାୟକ, SCERT ର ଉପ-ନିର୍ଦ୍ଦେଶିକା ଶ୍ରୀମତୀ ଚନ୍ଦ୍ରିକା ନାୟକ, ସିଏମସି ଭେଲୋରର ପ୍ରଫେସର ଡ. ବିନା କୋଶି ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଶ୍ରୀମତୀ ରାଧିକା ଝା (ଆଭାସୀ ମାଧ୍ୟମରେ) ଅଂଶଗ୍ରହଣ କରିଥିଲେ। ICDS ଓ SW ର ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ ଏହାକୁ ସଞ୍ଚାଳନ କରିଥିଲେ।

୩. ପ୍ରାରମ୍ଭିକ ଶିଶୁ ବିକାଶ ପାଇଁ ସହଭାଗିତା: ଏହି ସେସନ୍‌ରେ ଅନ୍ତଃ-ବିଭାଗୀୟ ସମନ୍ୱୟ, ସରକାରୀ-ବେସରକାରୀ ସହଭାଗିତା (PPP) ଏବଂ ସିଏସ୍‌ଆର୍ (CSR) ମାଧ୍ୟମରେ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମେଘାଳୟର ପ୍ରାରମ୍ଭିକ ଶିଶୁ ବିକାଶ ମିଶନର ଉଦାହରଣ ନେଇ ଆଲୋଚନା କରାଯାଇଥିଲା। ମେଘାଳୟ ECD ମିଶନର ସିଓଓ ଶ୍ରୀ ରୋନାଲ୍ଡ କିଣ୍ଟା, OSEPA ର ଉପ-ନିର୍ଦ୍ଦେଶିକା (ପେଡାଗୋଜି) ମିସ୍ ନିରୂପା ବେହେରା ଏବଂ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଇତିଶ୍ରୀ ଦାସ (ଓ.ଏ.ଏସ.) ପ୍ୟାନେଲିଷ୍ଟ ଭାବେ ଯୋଗଦେଇଥିଲେ। ରାଜ୍ୟ ଉଦ୍ୟୋଗ ଓ ନୀତି ଲିଡ୍ ମିସ୍ ରାଧିକା ମାଥୁର ଏହି ସେସନ୍ ସଞ୍ଚାଳନ କରିଥିଲେ। କନକ୍ଲେଭର ପ୍ରଥମ ଦିନରେ ଗୁଣାତ୍ମକ ପୋଷଣ, ସ୍ୱାସ୍ଥ୍ୟସେବା, ପ୍ରାରମ୍ଭିକ ଶିକ୍ଷା, ଦକ୍ଷ ଅଙ୍ଗନବାଡ଼ି କର୍ମୀ, ପିତାମାତାଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସମନ୍ୱିତ ପ୍ରାରମ୍ଭିକ ଶିଶୁ ବିକାଶ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking