କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ଅଘଟଣ । ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ । ୪ ମହଲା ଉପରୁ ମୁଣ୍ଡରେ ପଡ଼ିଲା ଲୁହା ରଡ୍, ଘଟଣାସ୍ଥଳରେ ମୃତ୍ୟୁ। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଘଟିଛି ଏକ ଦୁଃଖଦ ଅଘଟଣ । କୋଠା ନିର୍ମାଣ କାମ ଚାଲିଥିବା ସମୟରେ ଉପର ମହଲାରୁ ଲୁହା ରଡ୍ ମୁଣ୍ଡରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବୁରୋବାହାଲ ଗାଁର ଭାବଗ୍ରାହୀ ପୁଟେଲ। ଘଟଣା ପରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ଉଚିତ କ୍ଷତିପୂରଣ ଦାବି କରାଯାଇଛି । ଏହି ଘଟଣା ପରେ ନିର୍ମାଣସ୍ଥଳରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି ।
ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ନିର୍ମାଣ କାମ କରୁଥିବା ମାଲିକ ଶ୍ରମିକଙ୍କୁ ଆବଶ୍ୟକ ସୁରକ୍ଷା ସରଞ୍ଜାମ ବା ସେଫ୍ଟି କିଟ୍ ଯୋଗାଇ ଦେଇନଥିଲେ । ଏପରିକି ଶତାଧିକ ଶ୍ରମିକ ବିନା ସୁରକ୍ଷା ହେଲମେଟ୍ ଓ ଅନ୍ୟାନ୍ୟ ସରଞ୍ଜାମରେ କାମ କରୁଥିବା ଜଣାପଡ଼ିଛି । ତେବେ ଶ୍ରମିକଙ୍କ ସୁରକ୍ଷା ପ୍ରତି ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା କି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।










