ଭୁବନେଶ୍ୱର: ଭୁବନେଶ୍ୱରର ଐତିହାସିକ ଓ ଧାର୍ମିକ ଐତିହ୍ୟକୁ ମିଳିଲା ଆଉ ଏକ ସ୍ୱୀକୃତି । ପୁରୁଣା ଭୁବନେଶ୍ୱରର ପ୍ରସିଦ୍ଧ କେଦାରଗୌରୀ ମନ୍ଦିର ପରିସରକୁ ଘୋଷଣା କରାଯାଇଛି ରାଜ୍ୟ ସଂରକ୍ଷିତ କୀର୍ତ୍ତି ବା ଷ୍ଟେଟ୍ ପ୍ରୋଟେକ୍ଟେଡ୍ ମନୁମେଣ୍ଟ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ପ୍ରାଚୀନ ସ୍ମାରକୀ ସଂରକ୍ଷଣ ଆଇନ, ୧୯୫୬ର ଧାରା ୩ର ଉପଧାରା ୩ ଅନୁଯାୟୀ ଏହି ମାନ୍ୟତା ପ୍ରଦାନ କରାଯାଇଛି ।ପୁରୁଣା ଭୁବନେଶ୍ୱରର ମନ୍ଦିରମାଳିନୀ ପରିବେଶ ମଧ୍ୟରେ ଅବସ୍ଥିତ କେଦାରଗୌରୀ ମନ୍ଦିରର ରହିଛି ସ୍ୱତନ୍ତ୍ର ଐତିହାସିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ । ଓଡ଼ିଶାର ପ୍ରାଚୀନ ମନ୍ଦିର ସ୍ଥାପତ୍ୟ ଓ କଳିଙ୍ଗ ଶୈଳୀର ପରମ୍ପରାରେ ଏହି ମନ୍ଦିର ପରିସରର ଗୁରୁତ୍ୱ ରହିଛି । ଏହି ମାନ୍ୟତା ମିଳିବା ପରେ ମନ୍ଦିର ପରିସରର ଐତିହାସିକ ଓ ସ୍ଥାପତ୍ୟଗତ ମହତ୍ତ୍ୱକୁ ଆଇନଗତ ସ୍ୱୀକୃତି ମିଳିବା ସହ ଏହାର ସଂରକ୍ଷଣ ପାଇଁ ଏକ ଆଇନଗତ ଢାଞ୍ଚା ସୁଦୃଢ଼ ହୋଇଛି ।










