ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କଲା ବିଜେଡି ପ୍ରତିନିଧି ମଣ୍ଡଳୀ
ଲୋକଙ୍କ ପ୍ରତି ସରକାରଙ୍କ ସମ୍ବେଦନହୀନତା ଜଳ ଜଳ ହୋଇ ଦିଶୁଛି
ରନ୍ଧାଖାଦ୍ୟ ଦୂରର କଥା, ସବୁ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚିପାରି ନାହିଁ
ଜଳ ସମ୍ପଦ ବିଭାଗର ଅପରିଣାମଦର୍ଶୀ ବନ୍ୟା ପରିଚାଳନା ଏଭଳି ବିଭୀଷିକା ପାଇଁ ଦାୟୀ
ଭୁବନେଶ୍ୱର: ବିଜେପି ସରକାରର ପରିଚାଳନାଗତ ତ୍ରୁଟି ଯୋଗୁଁ ଗଞ୍ଜାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଳୟଙ୍କାରୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ବନ୍ୟା ପ୍ରଭାବିତ ଚିକିଟି, ହିଞ୍ଜିଳି, ଶେରଗଡ, ପାତ୍ରପୁର, ଆସ୍କା ଓ ପୁରୁଷୋତ୍ତମପୁର ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।
ବନ୍ୟା ପରିଚାଳନାରେ ବିଜେପି ସରକାରଙ୍କ ଅପାରଗତାକୁ କଡ଼ା ନିନ୍ଦା କରିଛି ବିଜେଡି । ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ଜାରି ସତ୍ତ୍ୱେ, ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ଗଞ୍ଜାମବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । ସରକାର ଯଦି ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥାନ୍ତେ, ତେବେ ଏପରି ଅବସ୍ଥା ହୋଇନଥାନ୍ତା । ବିଶେଷକରି ଜଳଭଣ୍ଡାର ପରିଚାଳନା, ଜଳ ନିଷ୍କାସନର ବ୍ୟବସ୍ଥା ଏବଂ ଦୁର୍ବଳ ନଦୀବନ୍ଧ ଗୁଡ଼ିକର ମରାମତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିଲା । ରାଜ୍ୟ ସରକାର ଏବଂ ଜଳସମ୍ପଦ ବିଭାଗର ଅବହେଳା ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ଆସି ଅଭାବନୀୟ ସ୍ଥିତି ଉପୁଜିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପରିଣାମ ସ୍ୱରୂପ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକ ପ୍ରାୟ ୩୦ ବର୍ଷ ପଛକୁ ଠେଲି ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା । ପୂର୍ବରୁ ଓଡିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ସାରା ବିଶ୍ୱ ପ୍ରଶଂସା କରି ନିଜ କାର୍ଯ୍ୟରେ ବ୍ୟବହାର କରିଛନ୍ତି । ଦୂରଦୃଷ୍ଟିର ଅଭାବରୁ ସମ୍ଭାବ୍ୟ ବିପଦକୁ ଆକଳନ କରି ଆଗୁଆ ପଦକ୍ଷେପ ନେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବାଲି ମାଫିଆଙ୍କ ଅବୈଧ ବାଲି ଉତ୍ତୋଳନ ଯୋଗୁଁ ଅନେକ ନଦୀବନ୍ଧ ଦୁର୍ବଳ ଓ ବିପଦସଙ୍କୁଳ ହୋଇପଡ଼ିଛି । ନଦୀ ବନ୍ଧ ନିର୍ମାଣ ଓ ମରାମତିରେ ବ୍ୟାପକ ଅବହେଳା କରାଯାଇଛି । ଜଳଭଣ୍ଡାରର ଗେଟ୍ ଖୋଲିବା ପୂର୍ବରୁ ତଳମୁଣ୍ଡରେ ଥିବା ଗ୍ରାମପଞ୍ଚାୟତ ଗୁଡ଼ିକୁ ଆଗୁଆ ସୂଚନା ଦିଆଯାଇ ନଥିଲା । ଯାହା ଫଳରେ ଲୋକ ମାନେ ଆଗୁଆ ସତର୍କ ସୂଚନାର ଅଭାବରୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ମିଳିନଥିଲା । ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପୂର୍ବ ପ୍ରସ୍ତୁତି, ସମନ୍ୱୟ ଓ ଯୋଜନାର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି ।
ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇବା ଦେବା ପରିବର୍ତ୍ତେ ରାଜ୍ୟ ସରକାର ନିଜ ପ୍ରଚାର ଓ ପ୍ରସାରରେ ବ୍ୟସ୍ତ ରହୁଛନ୍ତି । ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଅନେକ ସ୍ଥାନରେ ବନ୍ୟା ବିପନ୍ନ ପରିବାର ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନାହିଁ । ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଅତ୍ୟାବଶ୍ୟକ ସାମଗ୍ରୀ ଓ ରିଲିଫ ପହଞ୍ଚାଇବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରନ୍ତୁ ରାଜ୍ୟ ସରକାର । ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାର ଗୁଡ଼ିକୁ ଯଥେଷ୍ଟ କ୍ଷତିପୂରଣ ପ୍ରଦାନ କରାଯାଉ । ଦୁର୍ବଳ ନଦୀବନ୍ଧ ଗୁଡ଼ିକର ତୁରନ୍ତ ମରାମତି ଓ ସୁଦୃଢ଼ୀକରଣ କରି ଅବୈଧ ବାଲି ଉତ୍ତୋଳନ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ଯଦି ଅବହେଳା ପ୍ରଦର୍ଶନ କରିବେ, ତେବେ ବିଜେଡି ପକ୍ଷରୁ ତୀବ୍ର ବିରୋଧ କରାଯିବ ।
ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀମତୀ ଉଷା ଦେବୀ, ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ବିକ୍ରମ କୁମାର ପଣ୍ଡା, ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀ ଚିନ୍ମୟ କୁମାର ସାହୁ, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀମତୀ ରଞ୍ଜିତା ସାହୁ, ଶ୍ରୀ ଶ୍ରୀରୂପ ଦେବ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀ ଶ୍ରୀକାନ୍ତ ସାହୁ, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀ ସୁବାସ ବେହେରା, ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଶ୍ରୀମତୀ ନନ୍ଦିନୀ ଦେବୀ, ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ, ଶ୍ରୀ ଦେବାନନ୍ଦ ମହାପାତ୍ର, ଶ୍ରୀ ତୁମ୍ବନାଥ ପଣ୍ଡା ପ୍ରମୁଖ ସାମିଲ ଥିଲେ ।










