27.1 C
Bhubaneswar
Saturday, October 31, 2026
Homeଓଡିଶାଜୟଦେବ ଭବନ ପରିଚାଳକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଜୟଦେବ ଭବନ ପରିଚାଳକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ରାଜ୍ୟ ସୂଚନା କେନ୍ଦ୍ର, ଜୟଦେବ ଭବନର ପରିଚାଳକ ଶ୍ରୀ ସରୋଜ କୁମାର ଶତପଥୀଙ୍କ ଅବସର ଉପଲକ୍ଷେ ଶନିବାର ଅପରାହ୍ନରେ ଜୟଦେବ ଭବନ ପରିସରରେ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜୟଦେବ ଭବନର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବା ସହ ତାଙ୍କର ସୁସ୍ଥ, ସୁଖମୟ ଓ ଦୀର୍ଘ ଅବସର ଜୀବନ କାମନା କରାଯାଇଥିଲା। ସଭାରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର କହିଥିଲେ ଯେ, ଶ୍ରୀ ଶତପଥୀ ଜଣେ କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତୀ, ମିଷ୍ଟଭାଷୀ ଓ ଦକ୍ଷ ପରିଚାଳକ ଭାବେ ସମସ୍ତଙ୍କ ନିକଟରେ ସୁପରିଚିତ। ୨୦୨୩ ମସିହାରୁ ଜୟଦେବ ଭବନରେ ତାଙ୍କର କାର୍ଯ୍ୟକାଳ ଅତ୍ୟନ୍ତ ପ୍ରଶଂସନୀୟ ଓ ଲୋକାଭିମୁଖୀ ରହିଥିବା ବେଳେ, ତାଙ୍କର କାର୍ଯ୍ୟଦକ୍ଷତା ଓ ସରଳ ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହୋଇ ରହିବ ବୋଲି ସେ ମତ ପ୍ରକାଶ କରିଥିଲେ। ଉପସ୍ଥିତ କର୍ମଚାରୀମାନେ ମଧ୍ୟ ତାଙ୍କ ବିଭିନ୍ନ କାର୍ଯ୍ୟଧାରାର ସ୍ମୃତିଚାରଣ କରି ତାଙ୍କର କର୍ମନିଷ୍ଠା ଓ ମାନବିକ ଆଚରଣର ଭୂୟସୀ ପ୍ରଶଂସା କରିଥିଲେ।

ବିଦାୟୀ ପରିଚାଳକ ଶ୍ରୀ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଜୟଦେବ ଭବନ ପରି ଏକ ଗରିମାମୟ ଓ ପବିତ୍ର ଅନୁଷ୍ଠାନରେ ସରକାରୀ ସେବା କରିବା ତାଙ୍କ ଜୀବନର ଏକ ପରମ ସୌଭାଗ୍ୟ। ଏହି ଅନୁଷ୍ଠାନ ସର୍ବଦା ବିଭାଗର ମୁଖଶାଳା ଭାବେ ନିଜର ଗରିମା ଅକ୍ଷୁଣ୍ଣ ରଖି ଆହୁରି ଶୃଙ୍ଖଳିତ ଓ ଲୋକମୁଖୀ ଭାବେ କାର୍ଯ୍ୟ କରୁ ବୋଲି ସେ ଆଶା ପ୍ରକାଶ କରିଥିଲେ। ସେହିପରି ଜୟଦେବ ଭବନରେ ଆୟୋଜିତ ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଂଗଠନମାନଙ୍କ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବା ସହ ଛାତ୍ରଛାତ୍ରୀ ଓ ପାଠକ-ପାଠିକାଙ୍କ ଜ୍ଞାନବୃଦ୍ଧିରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ ବୋଲି ମତବ୍ୟକ୍ତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ସହକାରୀ ସୂଚନା ଅଧିକାରୀ ଶ୍ରୀମତୀ ଦୀପାଳିବାଳା ଦାସଙ୍କ ସମେତ ଦୀପ୍ତି ରଞ୍ଜନ ପରିଡା, ସରସ୍ୱତୀ ଦେବୀ, ରଞ୍ଜିତ ସାହୁ, ଅନୁସୟା ଜେନା, ଆଦିତ୍ୟନାରାୟଣ ରଥ, ସତ୍ୟନାରାୟଣ ମିଶ୍ର, ସିଧ୍ୟ କୁଜୁର, ଲତା ପ୍ରଧାନ ଓ ସମସ୍ତ ଆଉଟସୋର୍ସିଂ କର୍ମଚାରୀ ଉପସ୍ଥିତ ରହି ବିଦାୟୀ ପରିଚାଳକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking