ମାଣିକେଶ୍ୱରରେ ଭୂସ୍ଖଳନ ପ୍ରଭାବିତଙ୍କୁ ରିଲିଫ୍ ଓ ଉଦ୍ଧାର
ଗଞ୍ଜାମରେ ନିରାପଦ ପାନୀୟଜଳ ଯୋଗାଣ ଓ ଜଳଉତ୍ସ ବିଶୋଧନ ଜାରି
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ନିକଟରେ ତ୍ୱରିତ ସହାୟତା ପହଞ୍ଚାଇବା ସହ ଜନଜୀବନକୁ ସୁରକ୍ଷିତ ରଖିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ରହିଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ଭୂସ୍ଖଳନ ପ୍ରଭାବିତ ଓ ବିଚ୍ଛିନ୍ନ ଗ୍ରାମଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟଜଳ ଯୋଗାଣ ଓ ଜଳଉତ୍ସ ବିଶୋଧନ ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ଗ୍ରାମ ପଞ୍ଚାୟତର କୁମ୍ଭାରଖାଡ଼ି ଘାଟିରେ ଭୂସ୍ଖଳନ ଯୋଗୁଁ ଅଞ୍ଚଳର କେତେକ ଗ୍ରାମର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ମାନ୍ୟବର ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବାଲିଗୁଡ଼ା ଉପଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ଦଳ ସକାଳ ୬ଟା ୩୦ରେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ତହସିଲଦାର, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ତାଙ୍କ ଟିମ୍, ଓଡ୍ରାଫ୍, ଡାକ୍ତରୀ ଏବଂ ପୋଲିସ ଦଳକୁ ନେଇ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଏକାଧିକ ଭୂସ୍ଖଳନ ସ୍ଥାନ, ବିପଦସଙ୍କୁଳ ପାହାଡ଼ିଆ ରାସ୍ତା ଓ ଘଞ୍ଚ ଜଙ୍ଗଲ ଅତିକ୍ରମ କରି ଉଦ୍ଧାରକାରୀ ଦଳ ପ୍ରାୟ ୧୫ କିଲୋମିଟର ପାଦରେ ଚାଲି ବିଚ୍ଛିନ୍ନ ହୋଇଥିବା ୫ଟି ଗ୍ରାମ ଦେଇ ଶେଷ ଗ୍ରାମ ଡାଙ୍ଗେସୁରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀଙ୍କ ଅବସ୍ଥା ଅନୁଧ୍ୟାନ କରି ଖାଦ୍ୟ, ଔଷଧ ଓ ପାନୀୟଜଳ ବଣ୍ଟନ କରାଯାଇଥିଲା। ଡାଙ୍ଗେସୁ ଗ୍ରାମରେ ଫସି ରହିଥିବା ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଥିଲା। ଏହି ସମୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିଜ ଟିମ୍ ସହ ଶେଷ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ନଳକୂପ, ପରିମଳ କୂପ ଓ ସୌରଚାଳିତ ପାନୀୟଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ। ପାନୀୟଜଳ ବୋତଲ ଓ ବ୍ଲିଚିଂ ପାଉଡର ବଣ୍ଟନ, ଜଳଉତ୍ସ ବିଶୋଧନ ଏବଂ କ୍ଷତିଗ୍ରସ୍ତ ପାନୀୟଜଳ ପ୍ରକଳ୍ପଗୁଡ଼ିକର ତୁରନ୍ତ ମରାମତି ପାଇଁ ପଦକ୍ଷେପ ନିଆଯାଇଥିଲା।
ଅନ୍ୟପକ୍ଷରେ, ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ପିପିଲିପଙ୍ଗା ଓ ବଡ଼ମାହା ଅଞ୍ଚଳରେ ଜଳମଗ୍ନ ହୋଇଥିବା ଚାଷଜମିର ସ୍ଥିତି ମାନ୍ୟବର ମନ୍ତ୍ରୀ ନିଜେ ଅନୁଧ୍ୟାନ କରିଥିଲେ। ରାଇକିଆ ବ୍ଲକର ମାଣିକେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ଅଞ୍ଚଳ ପରିଦର୍ଶନ କରି ସେ କ୍ଷୟକ୍ଷତିର ଆକଳନ ଓ ସ୍ଥିତିର ସମୀକ୍ଷା କରିଥିଲେ। ସେହିପରି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ଓ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳଉତ୍ସଗୁଡ଼ିକର ବିଶୋଧନ କରାଯାଉଛି। ଜଳବାହିତ ରୋଗର ଆଶଙ୍କା ଦୂର କରିବା ସହ ଲୋକଙ୍କୁ ନିରାପଦ ଓ ପରିଷ୍କାର ପାନୀୟଜଳ ଉପଲବ୍ଧ କରାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଦୁର୍ଗମ ଅଞ୍ଚଳରେ ଉଦ୍ଧାରକାରୀ ଦଳର ପହଞ୍ଚଠାରୁ ଆରମ୍ଭ କରି ବିଚ୍ଛିନ୍ନ ଗ୍ରାମରେ ରିଲିଫ୍ ସାମଗ୍ରୀ ବଣ୍ଟନ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟଜଳର ନିରାପତ୍ତା ସୁନିଶ୍ଚିତ କରିବା ପର୍ଯ୍ୟନ୍ତ, ବିଭାଗୀୟ ଓ ଜିଲ୍ଲା ପ୍ରଶାସନର ସମନ୍ୱିତ ଉଦ୍ୟମ ବିପର୍ଯ୍ୟୟ ପରିଚାଳନାରେ ତତ୍ପରତା ଓ ଲୋକକୈନ୍ଦ୍ରିକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି।










