ବ୍ରହ୍ମପୁର: ରୋଗୀଙ୍କ ଜୀବନ ରକ୍ଷା କରିବାକୁ ହସ୍ପିଟାଲ ଆସୁଛନ୍ତି ରୋଗୀ । ହେଲେ ହସ୍ପିଟାଲରେ ଯଦି ମୁଣ୍ଡ ଉପରେ ବିପଦ ଝୁଲୁଥାଏ, ତେବେ ସୁରକ୍ଷା ନେଇ ଚିନ୍ତା ବଢ଼ିବା ସ୍ୱାଭାବିକ । ବ୍ରହ୍ମପୁର ସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କ୍ୟାନ୍ସର ୱାର୍ଡରେ ସିଲିଂ ଖସିବା ଘଟଣା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି । ୱାର୍ଡର ବିଭିନ୍ନ ବେଡ୍ ଉପରେ ସିଲିଂ ଭୁଶୁଡ଼ି ପଡ଼ିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କ୍ୟାନ୍ସର ଭଳି ଗୁରୁତର ରୋଗରେ ପୀଡ଼ିତ ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି । ଏଭଳି ସମୟରେ ୱାର୍ଡର ସିଲିଂ ଖସିବା ଘଟଣା ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଚିନ୍ତା ବଢ଼ାଇଛି । ଲଗାତାର ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ତେବେ ସିଲିଂ ଖସିବାର ପ୍ରକୃତ କାରଣ ଏବଂ କୋଠାର ସାମଗ୍ରିକ ସ୍ଥିତି ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ ।










