32.1 C
Bhubaneswar
Thursday, October 22, 2026
Homeଓଡିଶାଚାଲିବ ବାଦାମପାହାଡ଼-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌

ଚାଲିବ ବାଦାମପାହାଡ଼-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲା ତଥା ବିଶେଷକରି ଉପାନ୍ତ ବାମନଘାଟି ଉପଖଣ୍ଡବାସୀଙ୍କୁ ରେଳ ମନ୍ତ୍ରଣାଳୟ ପୂଜା ଭେଟି ଦେଇଛି। ବାଦାମପାହାଡ଼ଠାରୁ ରାଇରଙ୍ଗପୁର ଦେଇ ପୁରୀକୁ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍‌ ଗଡ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଦୀର୍ଘ ଦିନର ଏହି ଦାବି ପୂରଣ ହେବାକୁ ଯାଉଛି। ଗତ ଦୁଇବର୍ଷ ହେବ, କେବଳ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରାଯାଇଥିଲା। ଏବେ ବାଦାମପାହାଡ଼ଠାରୁ ପୁରୀ ଯାଏ ଦୈନିକ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲିବ। ଏହାଦ୍ବାରା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଦେଇ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ପୁରୀକୁ ଯାତ୍ରା କରିବା ମୟୂରଭଞ୍ଜବାସୀଙ୍କ ପାଇଁ ସୁବିଧାଜନକ ହେବ। ଏହି ରେଳ ସେବା ଛାତ୍ରଛାତ୍ରୀ, ଚାକିରିଆ, ବ୍ୟବସାୟୀ,ସ୍ୱାସ୍ଥ୍ୟ ସେବା, ତୀର୍ଥଯାତ୍ରୀ ଓ ସାଧାରଣ ଯାତ୍ରୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଏଥିସହ ଅଞ୍ଚଳର ପର୍ଯ୍ୟଟନ, ବାଣିଜ୍ୟ ଓ ଆର୍ଥିକ ବିକାଶକୁ ମଧ୍ୟ ନୂତନ ଦିଗ ମିଳିବ ବୋଲି ଆଶା କରାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗର ଦ୍ୱାରା ଖଣିବହୁଳ ବାଦାମପାହାଡ଼, ରାଇରଙ୍ଗପୁର, ମୟୂରଭଞ୍ଜବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ରେଳ ଚଳାଚଳ ନେଇ ରେଳବାଇ ପକ୍ଷରୁ ସମୟ ସାରଣୀ ଜାରି କରାଯାଇଛି।

ରେଳବାଇ ପକ୍ଷରୁ ଜାରି ସମୟ ସାରଣୀ ଅନୁସାରେ, ଏହି ୧୮୪୧୧ ଅପ୍‌-ଟ୍ରେନ୍ ପୁରୀରୁ ରାତି ୧୧.୪୫ରେ ବାହାରି ରାଇରଙ୍ଗପୁରରେ ଦ୍ୱିପ୍ରହର ୧୨.୫୩ ଏବଂ ବାଦାମପାହାଡ଼ରେ ଦିନ ୧ଟା ୪୫ରେ ପହଞ୍ଚିବ। ପୁଣି ବାଦାମପାହାଡ଼ରୁ ଡାଉନ ୧୮୪୧୨ ଟ୍ରେନ୍‌ ଅପରାହ୍ଣ ୪ଟାରେ ବାହାରି ରାଇରଙ୍ଗପୁର ୪.୨୫, ଅଁଳାଯୋଡ଼ି ଜଙ୍କସନ୍‌ ଦେଇ ଟାଟାନଗର, କେନ୍ଦୁଝର ଦେଇ ପୁରୀରେ ସକାଳ ୬ଟାରେ ପହଞ୍ଚିବ। ରାଇରଙ୍ଗପୁର, ବାଦାମପାହାଡ଼, ଅଁଳାଯୋଡ଼ି, ଟାଟାନଗର, ଭୁବନେଶ୍ୱର,କଟକ ସମେତ ୧୯ଟି ଷ୍ଟେସନରେ ଏହି ଟ୍ରେନ୍‌ ରହଣି କରିବ। ୯କୋଚ୍ ବିଶିଷ୍ଟ ଏଲଏଚବି ରେକ୍ ରହିବ। ରେଳବାଇ ବୋର୍ଡ ସୂଚନା ଅନୁସାରେ ଖୁବ୍‌ ଶୀଘ୍ର ଏକ ତାରିଖ ନିର୍ଦ୍ଧାରିତ ହୋଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ ହେବ। ରାଷ୍ଟ୍ରପତି ହେବା ପରଠାରୁ ଶ୍ରୀମତୀ ମୁର୍ମୁ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲାର ରେଳ ସଂଯୋଗକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ବାରମ୍ବାର ରେଳମନ୍ତ୍ରୀଙ୍କୁ ଭେଟି ଓ ପୂର୍ବତଟ ରେଳପଥର ପ୍ରସ୍ତାବକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking