କଳାହାଣ୍ଡି: କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀ ପାଟଣା ସହର । ଭୋର ୫ଟାରୁ ଜେନାଖାଲରୁ ବାହାରିବ ମାଙ୍କ ବିଜୟ ଛତର। ମାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ପ୍ରଶାସନ । ମା ମାଣିକେଶ୍ୱରୀଙ୍କ ବିଜୟ ଛତର ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସଜାଗ ରହିଛି ପୋଲିସ ପ୍ରଶାସନ । ଯାତ୍ରାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଭକ୍ତଙ୍କ ସୁରକ୍ଷା ଏବଂ ଭିଡ ନିୟନ୍ତ୍ରଣ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ । ଏଥିପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୯୫ ଜଣ ପୋଲିସ ଅଧିକାରୀ । ଯାତ୍ରାପଥ ଓ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିବାକୁ ଲଗାଯାଇଛି ୨୫ଟି ସିସିଟିଭି କ୍ୟାମେରା । ଏହାସହ ଡ୍ରୋନ ମାଧ୍ୟମରେ ଭିଡରେ ସ୍ଥିତି ଉପରେ ମଧ୍ୟ ନଜର ରଖାଯିବ । ଅନ୍ୟପଟେ ଭିଡ଼କୁ ସୁବ୍ୟବସ୍ଥିତ କରିବା ପାଇଁ ସାଂସ୍କୃତିକ ଦଳଙ୍କ ଗତିପଥରେ ପରିବର୍ତ୍ତନ କରାଯାଇଛି l ଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଦୃଷ୍ଟି ରହିବ ବୋଲି କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା କହିଛନ୍ତି l ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିୟମାବଳୀ ଅନୁଯାୟୀ ବଳିପ୍ରଥା ବନ୍ଦ କରିବା ନିର୍ଦ୍ଦେଶ ଥିବା ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଇଛି । ହେଲେ ମାନସିନ ପୂରଣ ତଥା ଶ୍ରଦ୍ଧାର ନାଁରେ ଲୋକେ ବଳି ଦେବାରୁ ନିବୃତ ରହୁ ନାହାନ୍ତି l ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ ମାନେ କୁକୁଡ଼ା, ବୋଦା ନେଇ ବଳି ଦେବା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି l










