ଭୁବନେଶ୍ୱର: ବିଜୁ ଜନତା ଦଳ ବିଶ୍ୱାସ କରେ ଯେ ସତ୍ୟକୁ ସାମୟିକ ଭାବେ ଆଢ଼ୁଆଳରେ ରଖାଯାଇପାରେ, କିନ୍ତୁ ଏହାକୁ ଚିରଦିନ ପାଇଁ ଲୁଚାଇ ରଖାଯାଇପାରିବ ନାହିଁ । ରାଜନୀତିରେ ଅଭିଯୋଗ, ଆରୋପ, ପ୍ରତ୍ୟାରୋପ ଓ ଅପପ୍ରଚାର ହୋଇପାରେ । କିନ୍ତୁ ନ୍ୟାୟର ମୂଳଦୁଆ ହେଉଛି ଆଇନର ଶାସନ ଓ ପ୍ରମାଣ । ରାଜନୈତିକ ବାକ୍ଚାତୁରୀ କିମ୍ୱା ଅପପ୍ରଚାର ନୁହେଁ ।ମାହାଙ୍ଗା ଡବଲ୍ ମର୍ଡର ମାମଲା ସମ୍ପର୍କିତ ଆଇନଗତ ପ୍ରକ୍ରିୟାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଥିବା ଖବର ପ୍ରକାଶ ପାଇଛି । ମାନ୍ୟବର ଅଦାଲତଙ୍କ ଆଦେଶ ପ୍ରକାଶ ପାଇବା ପରେ ଏବଂ ତାହାର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତିର ସମ୍ପୂର୍ଣ୍ଣ ଆଇନଗତ ପ୍ରଭାବ ସ୍ପଷ୍ଟ ହୋଇଛି । ଯାହାକୁ ବିଜେଡି ସ୍ୱାଗତ କରୁଛି ।ବିଜେଡି ପୁନର୍ବାର ଦୋହରାଉଛି ଯେ ପ୍ରତ୍ୟେକ ବ୍ୟକ୍ତି ଆଇନ ଅନୁଯାୟୀ ନ୍ୟାୟସଙ୍ଗତ ପ୍ରକ୍ରିୟା ଓ ନିରପେକ୍ଷ ଶୁଣାଣି ପାଇବାକୁ ହକ୍ଦାର । ଆଇନଗତ ମାମଲାଗୁଡ଼ିକର ବିଚାର ରାଜନୈତିକ ଆଖ୍ୟାନ କିମ୍ୱା ଆଗୁଆ ନିଷ୍କର୍ଷ ଟାଣିବାର ପ୍ରୟାସ ଆଧାରରେ ନୁହେଁ, ବରଂ ନ୍ୟାୟିକ ଆଦେଶ, ତଥ୍ୟ ଓ ପ୍ରମାଣ ଆଧାରରେ ନିରପେକ୍ଷ ଭାବେ କରାଯିବା ଉଚିତ ।ସତ୍ୟ, ନ୍ୟାୟ ଓ ସତ୍ନିଷ୍ଠା ହେଉଛି ଧର୍ମର ମୌଳିକ ସିଦ୍ଧାନ୍ତ । ବିଜେଡି ନ୍ୟାୟିକ ପ୍ରକ୍ରିୟା ଉପରେ ସଦୟ ଆସ୍ଥା ରଖିଛି ଏବଂ ଦୃଢ଼ ଭାବେ ମତ ପୋଷଣ କରୁଛି ଯେ ରାଜନୈତିକ ହସ୍ତକ୍ଷେପ କିମ୍ୱା ପୂର୍ବାଗ୍ରହ ବିନା ଆଇନ ତା’ ବାଟରେ ନିଜ କାର୍ଯ୍ୟ କରିବା ଉଚିତ ।










