ନୂଆଦିଲ୍ଲୀ: ପାନାମାରେ ଭୂକମ୍ପ । ପାସିଫିକ୍ ରିଙ୍ଗ ଅଫ ଫାୟାରରେ ଥିବା ପାନାମାରେ ୭.୭ ତୀବ୍ରତାର ଭୂକମ୍ପ ଝଟ୍କା ଲାଗିଛି । ପିଟାଲୋଜା ହେରେରାରୁ ୧୨.୬ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ୪୦ରୁ ଅଧିକ ଆଫ୍ଟରସକ୍ରେ ଥରିଲା ସମଗ୍ର ଦେଶ । ଏକାଧିକ ସ୍ଥାନରେ ବିଦ୍ୟୁତ ସେବା ଠପ୍ ହୋଇଥିବା ସୂଚନା । ଟୋକୁମେନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରହିଛି ।
ପାନାମାର ଦକ୍ଷିଣ ଉପକୂଳ ହେରେରା ପ୍ରଦେଶରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଘଟିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିଲା । ଏହାର ଗଭୀରତା ୧୦ କି.ମି ଭୂପୃଷ୍ଠ ତଳେ ରହିଥିବା ବେଳେ ଉତ୍ପତ୍ତିସ୍ଥଳ ଉପାନ୍ତ ପିଟାଜୋଲା ଆରିବା ଠାରୁ ୧୦ କି.ମି. ଦୂରରେ ରହିଥିବା ଜଣାପଡିଛି । ରାଜଧାନୀ ପାନାମା ସିଟିରେ ମଧ୍ୟ ଭୂକମ୍ପର ଝଟ୍କା ଲାଗିଥିଲା । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ୧ ମିଟରରୁ ୩ ମିଟର ପର୍ଯ୍ୟନ୍ତ ସୁନାମୀ ଆସିବାର ଆଶଙ୍କା କରାଯାଉଛି । ପାନାମା ସମେତ କଲମ୍ବିଆ, ଇକ୍ୱୋଡର, ନିକାରାଗୁଆ, କୋଷ୍ଟାରିକା, ଏଲ୍ ସାଲଭାଡୋର, ହୋଣ୍ଡୁରାସ, ମେକ୍ସିକୋ, ପେରୁ ଓ ଗୁଏଟମାଲା ଉପକୂଳ ପାଇଁ ଏହି ସୁନାମୀ ସତର୍କତା ଜାରି କରାଯାଇଛି ।










