ନବରଙ୍ଗପୁର: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଜଣେ ଛାତ୍ର ନେତାଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଟିଏ ପକ୍ଷର ସମର୍ଥକ ଦୀପ୍ କମଲ ମହାପାତ୍ରଙ୍କୁ ଛୁରାମାଡ଼ ଓ ଅଭିଷେକ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।
ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପହଞ୍ଚି ଛାନଭିନ୍ ଚଳାଇଛି । ଉମରକୋଟ ମହାବିଦ୍ୟାଳୟର ଗତକାଲି ନାମାଙ୍କନ ଦାଖଲ ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରେ ଘଟଣାଟି ସାମୟିକ ଭାବେ ଶାନ୍ତ ପଡ଼ିଥିଲା । ଆଜି ସକାଳେ ଏହାକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି । ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ତଦନ୍ତ ପରେ ଜଣାପଡ଼ିବ ।










