ନୂଆଦିଲ୍ଲୀ: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମୃଣାଳିନୀ ଦରସ୍ୱାଲ ମଧ୍ୟ ଏହି ଦୁଇଦିନିଆ ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି।
ଅକ୍ଟୋବର ୮ ଓ ୯ ତାରିଖ ଦୁଇଦିନ ଧରି ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ସହ ଜଡ଼ିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ବିଶେଷକରି ପୋଷଣ, ପ୍ରାରମ୍ଭିକ ଶିଶୁ ଶିକ୍ଷା, ଶିଶୁ ସୁରକ୍ଷା, ମହିଳା ସୁରକ୍ଷା ଓ ମହିଳା ସଶକ୍ତିକରଣ ଭଳି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଓ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ।
ସମ୍ମିଳନୀରେ ଚାରୋଟି ପ୍ରମୁଖ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଉଛି—
1. ଉନ୍ନତ ପୋଷଣ ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପୁନଃକଳ୍ପନା ଓ ସୁଦୃଢ଼ୀକରଣ।
2. ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା।
3. ସାଂସ୍ଥାନିକ ଓ ଆଇନଗତ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ମାଧ୍ୟମରେ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା।
4. ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଉଥିବା ପ୍ରମୁଖ ପଦକ୍ଷେପଗୁଡ଼ିକର ପ୍ରଭାବ ଓ ପରିଣାମକୁ ବୃଦ୍ଧି କରିବା।
ଏହି ସମ୍ମିଳନୀରେ ଓଡ଼ିଶାର ଅଭିନବ ପଦକ୍ଷେପ, ସଫଳ ମଡେଲ୍ ଓ ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ବାଣ୍ଟିବା ସହିତ, ଅନ୍ୟ ରାଜ୍ୟଗୁଡ଼ିକର ସଫଳ ଅଭିଜ୍ଞତାରୁ ଶିଖିବାର ସୁଯୋଗ ମିଳୁଛି ଏବଂ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନରେ ଏଭଳି ଅଭିଜ୍ଞତା ଓ ଜ୍ଞାନର ଆଦାନ-ପ୍ରଦାନ ମାଧ୍ୟମରେ ଅଧିକ ଫଳପ୍ରଦ ଓ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ରହିଛି, ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ମହିଳା ଓ ଶିଶୁଙ୍କ ସୁରକ୍ଷା, ପୋଷଣ, ଶିକ୍ଷା ଓ ସଶକ୍ତିକରଣକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ନିରନ୍ତର ସହଯୋଗ ଏବଂ ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ସରକାର ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀଣ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନବସୃଜନ, ଅଭିଜ୍ଞତା ବିନିମୟ ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ଏହି କ୍ଷେତ୍ରରେ ଅଧିକ ଦୃଶ୍ୟମାନ ଓ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ।










