ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପୁଣି ତେଜିବାରେ ଲାଗିଛି । ପରଷ୍ପର ପରଷ୍ପରର ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖିଛନ୍ତି। ଋଷ ୟୁକ୍ରେନର ଏକ ବିଜ୍ର ଉପରେ ଡ୍ରୋନ ଆକ୍ରମଣ କରିଛି । ରୁଷିଆର ଡ୍ରୋନ୍ ୟୁକ୍ରେନର ରାଜଧାନୀ କିଭ୍ର ଉତ୍ତର ବ୍ରିଜ୍କୁ ହିଟ କରିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଇଛି ଯେ ଗାଡ଼ିଗୁଡ଼ିକ ବ୍ରିଜ୍ ଉପରେ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । କିଏଭ୍ ମେୟର୍ ଭିଟାଲି କ୍ଲିଟସ୍କୋ କହିଛନ୍ତି ଯେ ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ଗାଡ଼ିଗୁଡ଼ିକ ବ୍ରିଜ୍ ଉପରେ ଚାଲୁଥିବା ସମୟରେ ଆକାଶରେ ନିଆଁ ଓ କଳା ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି ।
ଦୁଇ ଦିନ ମଧ୍ୟରେ ଉତ୍ତର ବ୍ରିଜ୍କୁ ଦ୍ୱିତୀୟ ଥର ଆକ୍ରମଣ କରିଛି ଋଷ। ବଡ଼ କଥା ହେଉଛି ଏହି ଆକ୍ରମଣ ସମୟରେ ଜର୍ମାନର ଚାନସିଲର କିଏଭ୍ରେ ଉପସ୍ଥିତ ଥିଲେ । ଏହା ପୂର୍ବରୁ କିଭର ଦକ୍ଷିଣ ବ୍ରିଜ୍ ଉପରେ ଋଷ ଆକ୍ରମଣ କରିଥିଲା । ୨୪ ଘଣ୍ଟାରୁ କମ୍ ସମୟରେ ପାଞ୍ଚ ଥର ଆକ୍ରମଣ କରିଛି କ୍ରେମଲିନ୍ । ୟୁକ୍ରେନ୍ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ବ୍ରିଜ୍ଗୁଡ଼ିକ ଉପରେ ବାରମ୍ବାର ଆକ୍ରମଣ ଡିନପ୍ରୋ ନଦୀ ଉପରେ ଗୁରୁତ୍ୱପୂର୍ଣ୍ଣ ଯାତାୟତ ସଂଯୋଗକୁ ବାଧା ଦେଇପାରେ ଏବଂ ରାଜଧାନୀକୁ ଦୁଇ ଭାଗରେ ବିଭକ୍ତ କରିପାରେ ।










