ଭୁବନେଶ୍ୱରରେ ପଦଯାତ୍ରା ଶୁଭାରମ୍ଭ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
ଏକ ମାସ ଧରି ଆୟୋଜିତ ହେବ ପଦଯାତ୍ରା
ଡବଲ ଇଞ୍ଜିନ ସରକାରରେ ଓଡିଶାବାସୀ ଉପେକ୍ଷିତ ହୋଇଛନ୍ତି
ସରକାରଙ୍କର ବିଫଳତାକୁ ଲୋକ ଲୋଚନକୁ ଆଣିବ ବିଜେଡି
ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨ରୁ ନଭେମ୍ୱର ୨ ତାରିଖ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟ ବ୍ୟାପୀ ସମସ୍ତ ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅକ୍ଟୋବର ୨ ତାରିଖ ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ନଭେମ୍ୱର ୨ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଚାଲିବ । ଦଳୀୟ କର୍ମକର୍ତ୍ତା ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଓ ବିଜେଡି ଶାସନ ସମୟର ସଫଳତାକୁ ନେଇ ପ୍ରତି ଘରକୁ ଯିବେ । ଜନ ସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ନିକଟରେ ପହଞ୍ଚିବାର ଲକ୍ଷ୍ୟ ରହିଛି । ଏନେଇ ଶଙ୍ଖ ଭବନରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର, ଭୁବନେଶ୍ୱର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତି ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀ ମିଶ୍ର କହିଛନ୍ତି ଯେ, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳ ଗାନ୍ଧୀ ଜୟନ୍ତୀ ଠାରୁ ଜନସମ୍ପର୍କ ଏକ ମାସ ଧରି ପଦଯାତ୍ରା ପାଳନ କରିବ । ଏହି ପଦଯାତ୍ରା ସମୟରେ ଡବଲ ଇଞ୍ଜିନ ସରକାରରେ ଜନ ସମସ୍ୟାକୁ ନେଇ ଲୋକଙ୍କ ନିକଟକୁ ଯିବୁ । ବିଜେପି ଦଳ ନିର୍ବାଚନ ସମୟରେ ଲୋକ ମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା । ତାହାକୁ ଗତ ଅଢ଼େଇ ବର୍ଷ ମଧ୍ୟରେ ପୂରଣ କରିଲା ନାହିଁ । ଚାଷୀ, ଯୁବ, ଛାତ୍ର, ନାରୀ, ଆଦିବାସୀ, ଦଳିତ, ସଂଖ୍ୟା ଲଘୁ ଆଦି ସମସ୍ତ ବର୍ଗର ଲୋକେ ପ୍ରତାରଣାର ଶିକାର ହୋଇଛନ୍ତି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । କେନ୍ଦ୍ର ସରକାର ଏମଏମଡିଆର ଆକ୍ଟ ଜରିଆରେ ସଂଘୀୟ ବ୍ୟବସ୍ଥାର ହତ୍ୟା କରି ଓଡ଼ିଶାର ଅର୍ଥନୈତିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ରାଜ୍ୟବାସୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ ସମୟର ଓଡ଼ିଶାର ବିକାଶ ଧାରାକୁ ମନେ ପକାଉଛନ୍ତି । ଡବଲ ଇଞ୍ଜିନ ସରକାର ପ୍ରତି ଜନସାଧାରଣ ମାନଙ୍କ ଅନେକ ରୋଷ ରହିଛି । ବିଜେପି ସରକାରଙ୍କ ବିଫଳତାକୁ ନେଇ ଦଳ ଲୋକଙ୍କ ନିକଟକୁ ଯିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟର ୩୪ଟି ସାଙ୍ଗଠନିକ ଜିଲ୍ଲାର ମୁଖ୍ୟାଳୟ, ପ୍ରତି ବ୍ଲକ୍, ପୌରପାଳିକା, ଏନ୍ଏସି, ମହାନଗର ନିଗମ ସବୁଠି ପଦଯାତ୍ରା ଅନୁଷ୍ଠିତ ହେବ । ଏହା ଜରିଆରେ ଲୋକମାନଙ୍କୁ ସଚେତନ କରାଯିବ । ବିଜେପି ସରକାରଙ୍କ ବିଫଳତାକୁ ନେଇ ମାଳ ମାଳ ପ୍ରସଙ୍ଗ ରହିଛି । ଜନ ସାଧାରଣଙ୍କ ସମସ୍ୟା ଭିତ୍ତିକ ସ୍ୱରକୁ ଶାଣିତ କରିବା ପାଇଁ ବିଜେଡିର ଲଢେଇ ଜାରି ରହିବ ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ଉକ୍ତ ପଦଯାତ୍ରା ଜରିଆରେ ବିଜେପି ସରକାରର ବିଫଳତା ନେଇ ଲୋକଙ୍କୁ ସଚେତନ କରାଯିବ । ମାସେ ବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଭୁବନେଶ୍ୱରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ୱାର୍ଡ ନମ୍ୱର ୫୨ରେ ଲୋକଙ୍କ ପଦଯାତ୍ରାରେ ସାମିଲ ହେବେ । ବିଜେପି ଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଗତ ୨୭ମାସ ମଧ୍ୟରେ ପାଣି ଫୋଟକା ସାଜିଛି । ପ୍ରତିଶ୍ରୁତି ଗୁଡିକ ପ୍ରତାରଣାରେ ପରିଣତ ହୋଇଛି । ଯାହାକୁ ନେଇ ଜନଅସନ୍ତୋଷ ରାଜ୍ୟରେ ଦେଖାଦେଇଛି । ପୁସ୍ତକ ତ୍ରୁଟି, ଏସଆଇଆର ଓ ଏମଏମଡିଆର ଆଦି ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ଜଳ ଜଳ ହୋଇ ଦେଖାଯାଉଛି । ଧାନ ମଣ୍ଡି, କୃଷି, ଭତ୍ତା, ପେନସନ ଆଦି କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ବିଜେଡି ଶାସନ କାଳର ସଫଳତା ଓ ବିଜେପି ସରକାରଙ୍କ ବିଫଳତାକୁ ଲୋକ ଲୋଚନକୁ ଆଣିବୁ । ଉକ୍ତ ପଦଯାତ୍ରାରେ ପଦାଧିକାରୀ, ନେତା, ଶୁଭେଚ୍ଛୁ, ଯୋଗ ଦେବାକୁ ଆହ୍ୱାନ ଦିଆଯାଇଛି ।
ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ, ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ଜନସାଧାରଣଙ୍କ ନିକଟକୁ ଯାଇ ତାଙ୍କ ସହ ମିଶି ପଦଯାତ୍ରା ଅନୁଷ୍ଠିତ ହେବ । ଗତ ଅଢେଇ ବର୍ଷ ମଧ୍ୟରେ ବିଜେପି ସରକାରଙ୍କ ମାଳ ମାଳ ବିଫଳତା ରହିଛି । ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବୃଦ୍ଧ ବୃଦ୍ଧା, ବିକଳାଙ୍ଗ, ବିଧବା ଆଦିଙ୍କୁ ଭତ୍ତା ମିଳୁନାହିଁ । ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଲୋକେ ଟଙ୍କା ପାଇଁ ବ୍ୟାଙ୍କରେ ଲାଇନ୍ ଲଗାଇ ଛିଡା ହେଉଛନ୍ତି । ଆବାସ ଗୃହ ନାହିଁ, ଜୀବନ ଜୀବିକା ଉପେକ୍ଷିତ ହୋଇଛି । ଗମନା ଗମନ ପାଇଁ ମେଟ୍ରୋ ପ୍ରକଳ୍ପ କଥା କହିଥିଲେ ତାହା ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ବୋଲି ପ୍ରମାଣିତ ହୋଇଛି । ନିର୍ବାଚନ ପ୍ରତିଶ୍ରୁତି ସବୁ ପ୍ରତାରଣା ସାଜିଛି । ବିଜେପି ସରକାରଙ୍କ ଅସଲ ମୁଖା ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ । ଲୋକଙ୍କ ଆବଶ୍ୟକତା ଗୁଡ଼ିକ ତୁରନ୍ତ ପୂରଣ କରିବାକୁ ଦାବି କରିବୁ ।
ମେୟର ଶ୍ରୀମତୀ ଦାସ କହିଛନ୍ତି ଯେ, ଜନ ସମ୍ପର୍କ ପଦଯାତ୍ରା ଯୋଗେ ବିଜେପି ସରକାରଙ୍କ ବିଫଳତା ଲୋକ ଲୋଚନକୁ ଆଣିବା । ଭୁବନେଶ୍ୱରରୁ ଆରମ୍ଭ ହୋଇ ରାଜ୍ୟ ବ୍ୟାପି ପଦଯାତ୍ରା ଅନୁଷ୍ଠିତ ହେବ । ବିଜେପି ସରକାରଙ୍କ ବିଫଳତା ଆଉ ଲୋକଙ୍କ ନିକଟରେ ଅଛପା ନାହିଁ । ଲୋକେ ତାଙ୍କ ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳକୁ ଏବେ ମନେ ପକାଉଛନ୍ତି । ଡବଲ ଇଞ୍ଜିନ ସରକାରଙ୍କ ଗତ ୨୭ମାସର ବିଫଳତା ଲୋକ ଲୋଚନକୁ ଆଣିବୁ । ବିଜୁ ଜନତା ଦଳର ଓଡ଼ିଶା ବାସୀଙ୍କ ବଳ ଓ ଓଡ଼ିଶା ବାସୀଙ୍କ ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ପାଇଁ ଲଢେଇ କରୁଥିଲେ । କିନ୍ତୁ ବିଜେପି ସରକାରରେ ଲୋକେ ପ୍ରତାରିତ ହେଉଛନ୍ତି । ନାରୀ ନିର୍ଯାତନା ବୃଦ୍ଧି ସହ ମହିଳା ଆଜି ଅସୁରକ୍ଷିତ । ସ୍ୱଚ୍ଛତା ପାଇଁ ରାଜ୍ୟ ସରକାର ଟେଣ୍ଡର ନକରିବାରୁ ଗଳି କନ୍ଦିରେ ଅଳିଆ ଆବର୍ଜନା ପଡି ରହିଛି । ପାଠ୍ୟ ପୁସ୍ତକରେ ତ୍ରୁଟି, ନୂଆ ଭତ୍ତା ଛାଡନ୍ତୁ ପୂରୁଣା ଭତ୍ତା ମିଳୁନାହିଁ । ଓଡ଼ିଶା ବାସୀଙ୍କ ଭାଗ୍ୟ ଭବିଷ୍ୟତକୁ ବିଜେପି ସରକାର ଉପେକ୍ଷିତ କରିଛନ୍ତି । ସମସ୍ତ ଜନ ସମସ୍ୟାକୁ ପ୍ରତ୍ୟେକ ଲୋକଙ୍କ ପାଖକୁ ନେଇ ଯିବ ବିଜୁ ଜନତା ଦଳ ।










