ଭୁବନେଶ୍ୱର: ଭୁବନେଶ୍ୱରରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭକୁ ନେଇ ଉତ୍ତେଜନା । ବିକ୍ଷୋଭ ବେଳେ ପୁଲିସ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଓ ଅନ୍ୟ କଂଗ୍ରେସ କର୍ମୀଙ୍କୁ ଉଠାଇନେବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିବାଦ ଦେଖାଦେଇଛି । ମିନାକ୍ଷୀ ବାହିନୀପତିଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଂଗ୍ରେସ କହିଛି ।ସୂଚନା ଅନୁସାରେ, ଆଜି ଲୋୟର ପିଏମଜିରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ପୁଲିସ ମହିଳା କଂଗ୍ରେସ ନେତ୍ରୀ ଓ କିଛି କର୍ମୀଙ୍କୁ ଉଠାଇନେଇ ରିଜର୍ଭ ଗ୍ରାଉଣ୍ଡ ଅଭିମୁଖେ ନେଇଥିବା ଅଭିଯୋଗ ହୋଇଛି ।
କଂଗ୍ରେସ ନେତା ଓ କର୍ମୀଙ୍କ ଅଭିଯୋଗ ହେଉଛି, ରିଜର୍ଭ ଗ୍ରାଉଣ୍ଡ ନିକଟରେ କିଛି ପୁଲିସ କର୍ମଚାରୀ ମିନାକ୍ଷୀ ବାହିନୀପତି ଓ ଅନ୍ୟ ମହିଳା କର୍ମୀଙ୍କ ସହ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ। ଏପରିକି ତାଙ୍କ ଶାଢ଼ୀ ଚିରିଥିବା ନେଇ ମଧ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ମିନାକ୍ଷୀ ବାହିନୀପତିଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ରିଜର୍ଭ ଗ୍ରାଉଣ୍ଡ ନିକଟରେ ପହଞ୍ଚିଥିଲେ। ତାଙ୍କ ସହ ବହୁ କଂଗ୍ରେସ କର୍ମୀ ମଧ୍ୟ ସେଠାରେ ପହଞ୍ଚିଥିଲେ । ପରେ ଜୟଦେବ ବିହାର ରାସ୍ତାରେ ରାସ୍ତାରୋକ କରି ପ୍ରତିବାଦ କରିଥିଲେ ।ତାରା ବାହିନୀପତି କହିଛନ୍ତି, ଘଟଣା ପାଇଁ ପୁଲିସ ପକ୍ଷରୁ କ୍ଷମା ନ ମଗାଯିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ।










