କେନ୍ଦୁଝର: ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲାରେ ଫେରାର୍ ଥିବା ୩ ଅଭିଯୁକ୍ତ ଯନ୍ତ୍ରୀ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନାନୁସାରେ, ତିନି ଯନ୍ତ୍ରୀ- ମନୋରଞ୍ଜନ ଜେନା, ଚିତ୍ତରଞ୍ଜନ ମିସ୍ତ୍ରୀ, ମୀନକେତନ ସାମଲ ମାମଲାରେ ଅନେକ ଦିନ ଧରି ଫେରାର୍ ଥିଲେ। ନିକଟରେ ତିନିହେଁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ହାଇକୋର୍ଟ ଆବେଦନ ଗ୍ରହଣ କରିବା ସହ ଜାମିନ ପ୍ରଦାନ କରିଛନ୍ତି। ଏହାସହ ଭିଜିଲାନ୍ସ କୋର୍ଟରେ ହାଜର ହୋଇ ଜାମିନ ସର୍ତ୍ତ ନିର୍ଦ୍ଧାରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ତିନିହେଁ ଆଜି ନିଜର ଓକିଲଙ୍କ ସହ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମାମଲାରେ ଠିକାଦାର ବିଭୂତି ଭୂଷଣ ବିଶ୍ବାଳ ଗିରଫ ହୋଇ ଜାମିନ ପାଇଛନ୍ତି।










