ଭୁବନେଶ୍ୱର : ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଥରେ ଆଶା ସଞ୍ଚାର ହୋଇଛି । ବିବାଦର ଆଇନଗତ ପ୍ରକ୍ରିୟା ସହ ସମାନ୍ତରାଳ ଭାବେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଓ ବୈଷୟିକ ସ୍ତରରେ ସମାଧାନର ବାଟ ଖୋଜାଯାଉଛି। ଟ୍ରିବ୍ୟୁନାଲରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ଅକ୍ଟୋବର ୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବାକୁ ଥିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ (ଏଜି) ପିତାମ୍ବର ଆଚାର୍ଯ୍ୟ । ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ । ଏହି ବୈଠକରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଆଲୋଚନା ଓ ସମାଧାନର ସମ୍ଭାବ୍ୟ ଢାଞ୍ଚା ଉପରେ ଚର୍ଚ୍ଚା ହେବା ଆଶା କରାଯାଉଛି ।










