ଭୁବନେଶ୍ୱର : ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା । ଏହାକୁ ନେଇ ପ୍ରସ୍ତୁତ ରାଜ୍ୟ ସରକାର । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡିକର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଛୁଟିରେ ଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି ।
ଗଭୀର ଅବପାତ ଯୋଗୁଁ ହେବାକୁ ଥିବା ବର୍ଷାକୁ ଆକଳନ କରି ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଏସଆରସି ସ୍ଥିତିର ସମୀକ୍ଷା କରିଛନ୍ତି । ୨୩ ଓ ୨୪ ତାରିଖ ପାଇଁ କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଛି । ୨୪ ଓ ୨୫ ତାରିଖ ପାଇଁ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବିପଦସଙ୍କେତଠାରୁ ଯଥେଷ୍ଟ ତଳେ ରହିଛି। ପ୍ରମୁଖ ଜଳଭଣ୍ଡାରଗୁଡିକର ଜଳସ୍ତର ମଧ୍ୟ ୱାର୍ଣ୍ଣିଂ ଲେଭଲ୍ ତଳେ ରହିଛି । ସେପଟେ, ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।










