ଭୁବନେଶ୍ୱର: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିବାବେଳେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ସମସ୍ତେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳ ବୋଲି ସୂଚନାରୁ ଜଣାପଡ଼ିଛି। ଗୋଟିଏ ପରିବାରର ପୁଅ, ଝିଅ, ୨ ନାତି, ୨ ନାତୁଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଅବିବାହିତ ଝିଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅବିବାହିତ ଝିଅଙ୍କର ଆଉ କିଛି ଦିନ ପରେ ନିର୍ବନ୍ଧ ହୋଇଥାନ୍ତା। ପରିବାର ସଦସ୍ୟ, ବନ୍ଧୁବାନ୍ଧବ ବାହାରକୁ ବୁଲି ଯାଇଥିଲା ବେଳେ ଏହି ଅଘଟଣ ଘଟିଛି। ଅଗର ମାଲଓ୍ବା ଜିଲାର ନଲଖେଡ଼ାର ଏକ ଝରଣାରେ ଭାସି ଯାଇଛନ୍ତି। ଉଜ୍ଜୟିନୀରୁ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ କାର୍ ଯୋଗେ ଯିବାବେଳେ ଝରଣାରେ ବଢ଼ି ପାଣି ପାର୍ ପାଇଁ ଡ୍ରାଇଭରଙ୍କ ଦୁଃସାହସରୁ ଏପରି ଦୁଃଖଦ ଘଟଣା ଘଟିଛି। ତେବେ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନାରୁ ପ୍ରକାଶ।










