ରାଉରକେଲା: ତ୍ରିକୋଣୀୟ ପ୍ରେମକୁ ନେଇ ସାଙ୍ଗ ହତ୍ୟା ଅଭିଯୋଗ । ପାଣି ଟାଙ୍କି ଉପରୁ ଠେଲି ଦେବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ। ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ତ୍ରିନାଥ କଲୋନୀରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, ଅର୍ଦ୍ଧନିର୍ମିତ ପାଣି ଟାଙ୍କି ଉପରେ ଦୁଇ ସାଙ୍ଗ ଅଭିଷେକ ମଲ୍ଲିକ ଓ କୁନା ଦାସ ରାତିରେ ମଦ୍ୟପାନ କରୁଥିଲେ । ତେବେ ଦୁହେଁ ଜଣେ ଯୁବତୀଙ୍କୁ ଭଲପାଉଥିବାରୁ ସେଠାରେ ଏହାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯୁବତୀ ଜଣକ ଅଭିଷେକଙ୍କୁ ଅଧିକ ପସନ୍ଦ କରୁଥିବା ନେଇ କୁନା ରାଗିଯାଇଥିବା ଅଭିଯୋଗ ହୋଇଛି ।ଏହାପରେ ଉତ୍ତେଜିତ ହୋଇ କୁନା ଦାସ ଅଭିଷେକଙ୍କୁ ପାଣି ଟାଙ୍କି ଉପରୁ ଠେଲି ଦେଇଥିବା ଅଭିଯୋଗ ରହିଛି । ତଳେ ପଡ଼ି ଅଭିଷେକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ କୁନା ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି।ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁନା ଦାସଙ୍କୁ ଗିରଫ କରିଛି। ଘଟଣାର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ପୋଲିସ ତଦନ୍ତ ଜାରି ରଖିଛି ।










