ଭଦ୍ରକ: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏମିତି ଏକ ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ଘଟିଛି । ମୃତକ ହେଲେ କମଳିନୀ ପତି । ମୃତକ ହେଲେ କମଳିନୀ ପତି। ସେ ସ୍ବାମୀ ବିଜୟ ପତି ଓ ତିନି ଛୋଟ ପିଲାଙ୍କ ସହ ରହୁଥିଲେ। ପରିବାର ଲୋକ ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବିଜୟ ମଦ୍ୟପାନ କରି ଘରେ ପାଟିତୁଣ୍ଡ କରିବା ସହ କମଳିନୀଙ୍କ ସହ ମାଡ଼ପିଟ କରୁଥିଲେ।ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ବିଜୟ ମଦ୍ୟପାନ କରି ଘରେ ଗଣ୍ଡଗୋଳ କରିବା ସହ କମଳିନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଘର ଭିତରେ କମଳିନୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।ଘଟଣା ପରେ ଘର ଭିତରେ ଭଙ୍ଗା ମଦ ବୋତଲ ଓ କାଚ ଖଣ୍ଡ ପଡ଼ିଥିବା ଦେଖାଯାଇଥିବା ଗ୍ରାମବାସୀ କହିଛନ୍ତି। ଆଜି ସକାଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ବିଜୟ ପତିଙ୍କୁ ଥାନାକୁ ନେଇ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। କମଳିନୀଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ପାଇକିରାପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।










