30.1 C
Bhubaneswar
Tuesday, September 15, 2026
Homeଓଡିଶାମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ନୂଆଁଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ମଙ୍ଗଳବାର ସକାଳ ୯ଟା ୪୦ରୁ ୯ଟା ୫୪ ମିନିଟ୍‌ ମଧ୍ୟରେ ମା’ଙ୍କଠାରେ ନୂଆଅନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା ଧ୍ବନି ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ଏହାପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଘରେଘରେ ନୂଆଁଖାଇ ହେବ। ନୂଆଁ ଖାଇ ସାରିଲାପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆମାରି ଆଶୀର୍ବାଦ ନେବାର ପରମ୍ପରା ରହିଛି। ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା। ତାପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ଲାଗି ହୋଇଥିଲା। ଏହି ଅବସରରେ ନୂଆ ଚାଉଳ ସହିତ କ୍ଷୀରି, ପିଠା, ସାରୁଶାଗ ଲାଗି ହୋଇଛି। ଏହା ପରେ ଲୋକେ ନିଜ ନିଜ ଘରେ କୁଳ ଦେବଦେବୀଙ୍କୁ ନୂଆଭୋଗ ଲାଗି କରି ନିଜେ ନୂଆ ଖାଇବେ।

ନିର୍ଦ୍ଧାରିତ ଲଗ୍ନରେ କ୍ଷେତ ପୂଜା, ଗୁରସ ରୁକା ଆଦି ପର୍ବ ପରେ ଇଷ୍ଟ ଦେବାଦେବୀ, ପିତୃପୁରୁଷଙ୍କୁ ନବାନ୍ନ ଲାଗି ହେବ। ଏହାପରେ ପରିବାରର ବରିଷ୍ଠ ସଦସ୍ୟ ଅନ୍ୟ ସମସ୍ତ ସଦସ୍ୟଙ୍କୁ ନବାନ୍ନ ଭୋଗ ପ୍ରଦାନ କରିବେ। ଏଥିପାଇଁ ଘରେଘରେ ନାନା ପିଠାପଣା ପ୍ରସ୍ତୁତି ସରିଲାଣି।  ନୂଆଁଖାଇ ପର୍ବ ସମୟରେ ଅନେକ ଲୋକ ନୂଆଁ ଲୁଗା ପିନ୍ଧୁଥିବାରୁ ପୋଷାକ ଓ ଲୁଗା ଦୋକାନଗୁଡ଼ିକରେ ବି ଗତକାଲି ଭିଡ଼ ଦେଖିବାକୁ ମିଳିଥିଲା। ମଙ୍ଗଳବାର ମଧ୍ୟାହ୍ନରେ ନୂଆଁଖାଇ ପର୍ବ ଶେଷ ହେବା ପରେ ସନ୍ଧ୍ୟାରୁ ନୂଆଁଖାଇ ଭେଟଘାଟ ଓ ଜୁହାର ବିଧି ଚାଲିବ। ନୂଆଁଖାଇ ଭେଟଘାଟ ପରମ୍ପରା ଏବେ ବଦଳି ଯାଇଥିବାରୁ ଗାଁ ଗହଳିରୁ ନେଇ ଦେଶବିଦେଶରେ ବି ଏହାର ଝଲକ ଦେଖିବାକୁ ମିଳୁଛି। ଯେଉଁଠି ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସମ୍ବଲପୁରୀ ଭାଷା, ସଂସ୍କୃତି, ଗୀତ ଓ ନୃତ୍ୟ ଦର୍ଶକଙ୍କ ମନମୋହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking