ଭୁବନେଶ୍ବର : କୋଟିଆ କାହାର ? କୋଟିଆ ଆମର । ଏଵେ ମୁଁ ବିଧାନସଭା ଭିତରେ ବିରୋଧ କରୁଛି, ଦରକାର ପଡ଼ିଲେ ଆଗାମୀ ଦିନରେ ଗୃହରେ ଆତ୍ମହୁତି ଦେବି । କୋଟିଆ ପାଇଁ ପ୍ରାଣବଳି ଦେବାକୁ ପ୍ରସ୍ତୁତ ଅଛି । କୋଟିଆ ହେଉଛି ଓଡ଼ିଶା ସହିତ କୋରାପୁଟ ଜିଲ୍ଲାର ଅବିଚ୍ଛେଦ୍ୟ ଅଙ୍ଗ । ଶୀତ ଅଧିବେଶନର ଦ୍ବିତୀୟ ଦିନରେ ହଟ୍ଟଗୋଳ ଯୋଗୁ ଗୃହ ଅପରାହ୍ଣ ୪ଟା ଯାଏ ମୁଲତବୀ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ।
ସେ ସିଧା ସିଧା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତାରା କହିଛନ୍ତି, ଏବେ ଟ୍ରିପଲ୍ ଇଞ୍ଜିନ ସରକାର ରହିଛି । କେନ୍ଦ୍ରରେ ବିଜେପି, ଓଡ଼ିଶାରେ ବିଜେପି ଏବଂ ଆନ୍ଧ୍ରରେ ଏନଡିଏ ମେଣ୍ଟ ସରକାର ରହିଛି । ସରକାର ଚାହିଁଲେ କୋଟିଆର ସମାଧାନ ହୋଇପାରନ୍ତା । ଅନ୍ୟପଟେ ଓଡ଼ିଶାବାସୀ ୨୦ଜଣ ସାଂସଦଙ୍କୁ ନିର୍ବାଚିତ କରି ସଂସଦକୁ ପଠାଇଛନ୍ତି । ତେଣୁ ଏହି ଏମପି ମାନଙ୍କୁ ନେଇ ଏକ ହାଉସ୍ କମିଟି ଗଠନ କରାଯାଉ । ସେମାନେ କୋଟିଆ ବାବଦରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠୁ ସମୟ ମାଗନ୍ତୁ । ଏପଟେ କୋଟିଆ ପ୍ରସଙ୍ଗରେ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଉ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।










