23.1 C
Bhubaneswar
Friday, November 13, 2026
Homeଓଡିଶାଉପର ଲାନ୍ଥ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ବଲାଙ୍ଗୀରର ମରୁଡ଼ିପ୍ରବଣ ବେଲପଡ଼ା ଅଞ୍ଚଳରେ କୃଷିର ନୂଆ...

ଉପର ଲାନ୍ଥ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ବଲାଙ୍ଗୀରର ମରୁଡ଼ିପ୍ରବଣ ବେଲପଡ଼ା ଅଞ୍ଚଳରେ କୃଷିର ନୂଆ ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର କୃଷି ଓ ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଉପର ଲାନ୍ଥ ମଧ୍ୟମ ଜଳସେଚନ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବଲାଙ୍ଗୀର ଜିଲ୍ଲାର ମରୁଡ଼ିପ୍ରବଣ ବେଲପଡ଼ା ବ୍ଲକ୍‌ରେ ଏହି ପ୍ରକଳ୍ପ ମାଧ୍ୟମରେ ୪,୭୦୦ ହେକ୍ଟର ଚାଷଜମିକୁ ନିର୍ଭରଯୋଗ୍ୟ ଜଳସେଚନ ସୁବିଧା ମିଳିବା ସହ ଖରିଫ ଓ ରବି ଋତୁରେ ବାର୍ଷିକ ୬,୧୦୫ ହେକ୍ଟର ଜଳସେଚନ ସମ୍ଭାବନା ସୃଷ୍ଟି ହେବ।ଏହି ପ୍ରକଳ୍ପର ଏକ ପ୍ରମୁଖ ଅଂଶ ହେଉଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଚିକିଲି ଗ୍ରାମ ନିକଟରେ ଲାନ୍ଥ ନଦୀ ଉପରେ ୧୪୩.୯୮ କୋଟି ଟଙ୍କା ବ୍ୟୟରେ ସ୍ପିଲୱେ ନିର୍ମାଣ। ୧୦୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସ୍ପିଲୱେରେ ୭ଟି ରେଡିଆଲ୍ ଗେଟ୍ ରହିବ। ଏହା ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ, ଅତିରିକ୍ତ ଜଳର ସୁରକ୍ଷିତ ନିଷ୍କାସନ ଏବଂ ଜଳର ସୁବିନିଯୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସ୍ପିଲୱେ ମାଧ୍ୟମରେ ସାଧାରଣ ସମୟରେ ଜଳ ସଂରକ୍ଷଣ ଏବଂ ଅଧିକ ଜଳ ପ୍ରବାହ ସମୟରେ ନିୟନ୍ତ୍ରିତ ଭାବେ ଅତିରିକ୍ତ ଜଳ ନିଷ୍କାସନ ସମ୍ଭବ ହେବ। ଏହାଦ୍ୱାରା ଜଳଭଣ୍ଡାରର ସୁରକ୍ଷା ସୁନିଶ୍ଚିତ ହେବା ସହ ନିମ୍ନ ଅବବାହିକା ଅଞ୍ଚଳରେ ଜଳପ୍ରବାହର ପ୍ରଭାବ ହ୍ରାସ ଏବଂ ଜଳସେଚନ ଓ ପାନୀୟ ଜଳ ପାଇଁ ଜଳର ଉପଲବ୍ଧତା ବଜାୟ ରହିବ।

ଏହି ପ୍ରକଳ୍ପ ଅଧୀନରେ ଖରିଫ ଋତୁରେ ୩,୯୯୦ ହେକ୍ଟର ଏବଂ ରବି ଋତୁରେ ୨,୧୧୫ ହେକ୍ଟର ଜମିକୁ ଜଳସେଚନ କରିବାର ଯୋଜନା ରହିଛି। ଫଳରେ କେବଳ ମୌସୁମୀ ବର୍ଷା ଉପରେ ନିର୍ଭର ନକରି ଚାଷୀମାନେ ବର୍ଷର ଅନ୍ୟ ସମୟରେ ମଧ୍ୟ ଚାଷ କାର୍ଯ୍ୟ କରିପାରିବେ। ଏହାଦ୍ୱାରା ଫସଲର ଉତ୍ପାଦକତା ବୃଦ୍ଧି, ଫସଲର ଘନତ୍ୱ ବଢ଼ିବା ସହ ଚାଷୀଙ୍କ ଆୟ ଓ ଜୀବିକା ସୁଦୃଢ଼ ହେବାର ସମ୍ଭାବନା ରହିଛି।ପ୍ରକଳ୍ପର ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟରେ ଏକ ମାଟିବନ୍ଧ ଏବଂ ଦୁଇଟି ମୁଖ୍ୟ କେନାଲ ନିର୍ମାଣର ବ୍ୟବସ୍ଥା ରହିଛି। ୧୬.୦୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ବାମ ମୁଖ୍ୟ କେନାଲ ଏବଂ ୬.୬୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଡାହାଣ ମୁଖ୍ୟ କେନାଲ ମାଧ୍ୟମରେ ପ୍ରକଳ୍ପ ଅଞ୍ଚଳର ଚାଷଜମିକୁ ଜଳ ଯୋଗାଣ କରାଯିବ। ଏହାଦ୍ୱାରା ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ।

କୃଷି ସହିତ ଗ୍ରାମାଞ୍ଚଳର ପାନୀୟ ଜଳ ଆବଶ୍ୟକତା ପୂରଣକୁ ମଧ୍ୟ ଏହି ପ୍ରକଳ୍ପରେ ପ୍ରାଧାନ୍ୟ ଦିଆଯାଇଛି। ପ୍ରକଳ୍ପ ଅଧୀନସ୍ଥ ଗ୍ରାମଗୁଡ଼ିକର ପାନୀୟ ଜଳ ଆବଶ୍ୟକତା ପୂରଣ ପାଇଁ ୨.୧୯ ନିୟୁତ ଘନମିଟର ଭୂପୃଷ୍ଠ ଜଳ ସଂରକ୍ଷଣର ବ୍ୟବସ୍ଥା ରହିଛି। ଏହାଦ୍ୱାରା କୃଷି ଓ ଘରୋଇ ଜଳ ଆବଶ୍ୟକତା ପୂରଣ ସହ ଅଞ୍ଚଳର ଜଳ ସୁରକ୍ଷା ସୁଦୃଢ଼ ହେବ। ୨ ନଭେମ୍ବର ୨୦୨୪ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ୨୦୨୫-୨୬ ବର୍ଷର ଓଡ଼ିଶା କୃଷି ବଜେଟ୍‌ରେ ଘୋଷିତ ଚାରିଟି ନୂତନ ଜଳସେଚନ ପ୍ରକଳ୍ପ ମଧ୍ୟରେ ଏହା ସ୍ଥାନ ପାଇଥିଲା। ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିଥିବାବେଳେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ବଲାଙ୍ଗୀର ଜିଲ୍ଲାର କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ନୂତନ ଦିଗ ମିଳିବ। ଜଳର ସଂରକ୍ଷଣ, ସୁପରିଚାଳନା ଓ ସୁବଣ୍ଟନ ମାଧ୍ୟମରେ ମରୁଡ଼ିପ୍ରବଣ ଅଞ୍ଚଳରେ କୃଷିର ସ୍ଥାୟୀ ବିକାଶ ସହ ଚାଷୀଙ୍କ ଜୀବନଜୀବିକାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଏହା ବିକଶିତ ଓଡ଼ିଶା ଗଠନ ଦିଗରେ ଜଳସମ୍ପଦର ସୁବିନିଯୋଗ ଓ ଜଳସେଚନ ଭିତ୍ତିଭୂମିର ସମ୍ପ୍ରସାରଣକୁ ଆହୁରି ଗତିଶୀଳ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking