26.1 C
Bhubaneswar
Friday, November 13, 2026
Homeଓଡିଶାଅନ୍ତର୍ଜାତୀୟ ସ୍ତରୀୟ ରଗ୍‌ବୀ ପ୍ରତିଯୋଗିତାର ଆୟୋଜନ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ...

ଅନ୍ତର୍ଜାତୀୟ ସ୍ତରୀୟ ରଗ୍‌ବୀ ପ୍ରତିଯୋଗିତାର ଆୟୋଜନ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’। ନଭେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍ ଠାରେ ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’ ଆୟୋଜିତ ହେବ। ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’ର ଟ୍ରଫି ଉନ୍ମୋଚନ କରିଛନ୍ତି। ଏଥିସହ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’ର ଆୟୋଜନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ରେ ୧୦ଟି ଦେଶ ଯଥା ଭାରତ, ହଙ୍ଗକଙ୍ଗ ଚାଇନା, ଉଜବେକିସ୍ତାନ, ଚାଇନିଜ ତାଇପେଇ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଓ ଜୋର୍ଡାନ ଦେଶ ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହି ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ। ୧୦ଟି ଦେଶରୁ ସର୍ବମୋଟ ୧୭ଟି ଟିମ୍ (୧୦ଟି ପୁରୁଷ ଟିମ୍ ଏବଂ ୭ଟି ମହିଳା ଟିମ୍) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଭାରତ ପୁରୁଷ ଟିମ୍‌ରେ ପୁଷ୍ପେନ୍ଦର (କ୍ୟାପ୍‌ଟେନ), ରଞ୍ଜନ ରାୱତ (ଭାଇସ୍‌ କ୍ୟାପ୍‌ଟେନ), ଅଜିତ୍‌ ନିଗମ, ଅମନ୍‌, ଅରୁଣ ପ୍ରଜାପତ୍,ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍, ନମନ ଯାଦବ, ରାହୁଲ ମାଝୀ, ରୋହିତ କୁମାର, ସୁବାସ ହାଁସଦା ଆଦି କ୍ରୀଡ଼ାବିତ୍‌ ସ୍ଥାନ ପାଇଥିବା ବେଳେ ଭାରତ ମହିଳା ଟିମ୍‌ରେ ତନୁଶ୍ରୀ ଭୋଁସଲେ (କ୍ୟାପଟେନ୍‌) ମାମାଲି ସିଂ (ଭାଇସ୍‌ କ୍ୟାପ୍‌ଟେନ), ଅକ୍ଷୟା ଏନ୍‌ଏସ, ଅନିତା ମୁର୍ମୁ, ଅନୁଷ୍କା ସଙ୍କପାଲ, ଦୀପାଳି ତାଠେ, ଖୁସି ଦେବୀ, କୀର୍ତ୍ତି ଯାଦବ, ଆଦିତି ସଖାରାମ୍ ଲୋନ୍ଧେ, ସଲୋନୀ କୁମାରୀ, ସମୃଦ୍ଧି କଦମ୍, ସୁମିତ୍ରା ମୁର୍ମୁ ଆଦି କ୍ରୀଡ଼ାବିତ୍‌ ସ୍ଥାନ ପାଇଛନ୍ତି। ଭାରତ ପୁରୁଷ ଟିମ୍‌ରେ ୫ ଜଣ ଓଡ଼ିଆ କ୍ରୀଡ଼ାବିତ୍‌ (ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍,ରାହୁଲ ମାଝୀ, ସୁବାସ ହାଁସଦା) ଓ ଭାରତ ମହିଳା ଟିମ୍‌ରେ ୩ ଜଣ ଓଡ଼ିଆ କ୍ରୀଡ଼ାବିତ୍‌ (ମାମାଲି ସିଂ, ଅନିତା ମୁର୍ମୁ ଓ ସୁମିତ୍ରା ମୁର୍ମୁ) ସ୍ଥାନ ପାଇଛନ୍ତି। ଗତ ନଭେମ୍ବର ୬ ତାରିଖରେ ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’ର ଲୋଗୋ ଉନ୍ମୋଚିତ ହୋଇଥିଲା। ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍‌ର ଲୋଗୋରେ ଓଡ଼ିଶାର ପାରମ୍ପରିକ କଳା ‘ଝୋଟିଚିତା’କୁ ପ୍ରଦର୍ଶିତ କରାଯାଇଛି।

ଏଥିସହ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମ୍‌ରେ ୩ ଟି ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ (ସବ୍-ଜୁନିୟର ନ୍ୟାସନାଲ ରଗ୍‌ବୀ ସେଭେନ୍ସ ଚାମ୍ପିୟନସିପ୍, ଅସ୍ମିତା ରଗ୍‌ବୀ ଲିଗ୍-ନ୍ୟାସନାଲ ଏବଂ ନ୍ୟାସନାଲ ରଗ୍‌ବୀ ୧୫ ଏସ୍‌ ଚାମ୍ପିୟନସିପ୍- ଡିଭିଜନ୍‌ ୧) ଅନୁଷ୍ଠିତ ହୋଇଛି। ୨୦୧୮ ମସିହା ପରେ ଦୀର୍ଘ ୮ ବର୍ଷ ପରେ ଚଳିତ ବର୍ଷ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ (ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬) ଅନୁଷ୍ଠିତ ହେଉଛି। ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ରଗ୍‌ବୀ ଚାମ୍ପିୟନସିପ୍ ଅନୁଷ୍ଠିତ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପ୍ରତିଯୋଗିତାର ଆୟୋଜନ ନିଶ୍ଚିତ ଭାବେ ଦେଶ ଓ ରାଜ୍ୟରେ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ନିଜର ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ପ୍ରଦାନ କରିବ। ଏଥିସହ ଓଡ଼ିଶା ସରକାରଙ୍କ ତରଫରୁ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରାଯାଉଛି। କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା, ଓଡ଼ିଶାରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ସହ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ଦିଗରେ ସରକାର ଗୁରୁତ୍ୱାରୋପ କରୁଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଏସିଆ ରଗ୍‌ବୀର ସିଇଓ ଶ୍ରୀ ବେଞ୍ଜାମିନ୍‌ ଏବଂ ରଗ୍‌ବୀ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଶ୍ରୀ ଜି. ପ୍ରଭୁ କହିଛନ୍ତି ଯେ, ଓଡ଼ିଶାରେ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ର ଆୟୋଜନ ହେବା ଅତ୍ୟନ୍ତ ଆନନ୍ଦର ବିଷୟ। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ରେ ଭାଗ ନେଉଥିବା ସମସ୍ତ ଦେଶର କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସମସ୍ତ କ୍ରୀଡ଼ାବିତ୍‌ମାନେ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଆଶା କରାଯାଉଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏସନ୍‌ର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking