ଭୁବନେଶ୍ୱର: ଦୀପାବଳି ହେଉଛି ଆଲୋକ, ଆନନ୍ଦ ଓ ଉଲ୍ଲାସର ମହାପର୍ବ । ଟିକିଏ ଅସାବଧାନତା କାରଣରୁ ଏହି ଆନନ୍ଦ ଯେପରି ବିପଦରେ ନ ବଦଳେ, ସେଥିପାଇଁ ସତର୍କତା ଓ ନିରାପତ୍ତା ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ । ପ୍ରଦୂଷଣ ହ୍ରାସ କରିବା ପାଇଁ କେବଳ ସବୁଜ ବାଣ କିଣନ୍ତୁ । କମ୍ ଧୂଆଁ ଓ କମ୍ ଶବ୍ଦ ସୃଷ୍ଟିକାରୀ ସବୁଜ ବାଣ କିଣନ୍ତୁ । ଘର ଭିତରେ, ସଂକୀର୍ଣ୍ଣ ଗଳି ଓ ବାଲକୋନିରେ ବାଣ ନ ଫୁଟାଇ ଖୋଲା ପଡ଼ିଆ କିମ୍ବା ଛାତ ଉପରେ ନିରାପଦ ସ୍ଥାନରେ ବାଣ ଫୁଟାନ୍ତୁ । ବାଣ ଫୁଟାଇବା ସମୟରେ ସୂତା ପୋଷାକ ପିନ୍ଧନ୍ତୁ । ଢିଲା, ସିନ୍ଥେଟିକ୍, ନାଇଲନ୍ କିମ୍ବା ରେଶମୀ ପୋଷାକ ପିନ୍ଧନ୍ତୁ ନାହିଁ । ଛୋଟ ପିଲାମାନଙ୍କୁ କଦାପି ଏକାକୀ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ । ବାଣ ଫୁଟାଇବା ସମୟରେ ସାମାନ୍ୟ ଅସାବଧାନତା ଯୋଗୁଁ ହାତ, ଆଙ୍ଗୁଠି ଓ ଆଖିରେ ଗୁରୁତର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ଅଂଶ ପୋଡ଼ିଯାଉଛି । କେବଳ ଫୁଟିବା ବାଣ ନୁହେଁ, ଝୁରୁଝୁରି ଭଳି ଛୋଟ ବାଣରୁ ମଧ୍ୟ ପୋଡ଼ାଜଳା ଘଟଣା ଘଟୁଛି । ଏପରିକି ବାଣ ବିସ୍ଫୋରଣରେ କେତେକଙ୍କ ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି । ଏଭଳି ସ୍ଥିତିରେ ଅନେକ ସମୟରେ ଅସ୍ତ୍ରୋପଚାର ଓ ଚର୍ମ ପ୍ରତିରୋପଣର ଆବଶ୍ୟକତା ପଡ଼ୁଛି । ଏନେଇ ସତର୍କ କରାଇଛନ୍ତି ଡାକ୍ତର ।










