ପୁରୀ: ଶନିବାର ରାତିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ ଠାକୁରଙ୍କ ଦାବାଗ୍ନି ଲୀଳା ସମ୍ପନ୍ନ ହୋଇଛି । ସନ୍ଧ୍ୟା ଧୂପ ପରେ ଏହି ନୀତି ହୋଇଥିଲା। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ଜଗମୋହନ ନାଟପା ମଣ୍ଡପଠାରେ ପଡ଼ିଥିବା ଖଟ ଉପରେ ବିଜେ ହୋଇଥିଲେ ।
ମାଟିମଣ୍ଡପ ସାହି ପକ୍ଷରୁ ପୌରାଣିକ ଚରିତ୍ର ବଳରାମ, ଶ୍ରୀକୃଷ୍ଣ ଓ ଦାବାଗ୍ନି ରାକ୍ଷସ ଅଭିନୟ ହୋଇଥିଲା । ଦେବ ଲୀଳା ସମୟରେ ରାକ୍ଷସ ତାର ପ୍ରକୋପ ଦେଖାଇଥିଲା । କୃଷ୍ଣ ବଳାରାମ ବେଶରେ ଦୁଇ ବାଳକ ରାକ୍ଷସକୁ ବଧ କରିଥିଲେ । କୁହାଯାଏ ଶ୍ରୀକୃଷ୍ଣ ଯମୁନା ନଦୀରେ କାଳୀୟନାଗକୁ ଦମନ କରିବା ସମୟରେ ନାଗରାଜ ବିଷ କ୍ଷେପଣ କରିଥିଲେ । ଏହି ବିଷ ନିକଟସ୍ଥ ଜଙ୍ଗଲରେ ଥିବା ଗଛପତ୍ରରେ ପଡ଼ିଥିଲା ।କାଳୀୟ ଚାଲିଗଲେ ମଧ୍ୟ ବୃକ୍ଷରାଜି ବିଷମୟ ହୋଇ ରହିଥିଲା । ତେଣୁ ଏହି ବିଷକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଦାବାଗ୍ନି ଲୀଳା ଅନୁଷ୍ଠିତ ହେଉଥିବା ଗବେଷକ କୁହନ୍ତି । ଶ୍ରୀକୃଷ୍ଣ ଲୀଳା କ୍ରମରେ ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକୁଞ୍ଜ ଲୀଳା ନୀତି ଅନୁଷ୍ଠିତ ହେବ।









