ଆଳି: ପୁରାଣ ପ୍ରସିଦ୍ଧ ଓଡ଼ିଶାର ଅନ୍ୟତମ ବରାହ କ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲା ଆଳିର ଲକ୍ଷ୍ମୀବରାହ ମନ୍ଦିରର ଉପରି ଭାଗରେ ସ୍ଥାପନା ହୋଇଥିବା ପଥର ସିଂହମୂର୍ତ୍ତି ଆଜି ଭାଙ୍ଗି ଖସିପଡିଛି। ସୈାଭାଗ୍ୟବଶତଃ ପଥର ମୂର୍ତ୍ତି ଉପରୁ ଖସିବା ସମୟରେ ମନ୍ଦିର ବେଢା ଭିତରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। ପଥର ମୂର୍ତ୍ତି ଖସିବା ସମୟରେ ନିକଟରେ ଥିବା ଶ୍ରଦ୍ଧାଳୁ ଭକ୍ତମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା ୪୫ ମିନିଟ୍ ସମୟରେ ପ୍ରବଳ ବର୍ଷା ହେଉଥିବାବେଳେ ମନ୍ଦିରର ଉପରିଭାଗରେ ୬୫ ଫୁଟ ଉଚ୍ଚତାରେ ରହିଥିବା ସିଂହ ମୂର୍ତ୍ତିଟି ମନ୍ଦିରରୁ ବିଚ୍ଛିନ୍ନ ହୋଇ ତଳକୁ ଖସି ବେଢା ଭିତର ଚଟାଣରେ ପଡ଼ି ଭାଙ୍ଗି ଯାଇଥିଲା। ହେଲେ କାହାର କିଛି କ୍ଷତି ହୋଇନାହିଁ।ଏଠାରେ ପ୍ରକାଶ ଯୋଗ୍ୟ ଯେ, ପୁରାତନ କୀର୍ତ୍ତି ବରାହ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଲଗାତାର ଭାବେ ଦାବି ହୋଇ ଆସୁଛି। ଆଜି ଏହି ମୂର୍ତ୍ତି ଭାଙ୍ଗି ଖସିବା ଖବର ପ୍ରଚାରିତ ହେବାପରେ ହଜାର,ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଅପରପକ୍ଷରେ ବୈଷୟିକ ଟିମ୍ ଦ୍ବାରା ଯାଞ୍ଚ କରାଯାଇ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ବରାହ ମନ୍ଦିର ମରାମତି କରିବା ପାଇଁ ପୂଜକମାନେ ଦାବି କରିଛନ୍ତି।










