ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେବା ସହ ରାସ୍ତାଘାଟ ଅବରୋଧ ଓ ଯାତାୟାତ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି। ଏହି ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଜନସାଧାରଣଙ୍କ ସୁରକ୍ଷା ତଥା ଆଇନ ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାର ସମସ୍ତ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସମ୍ପୃକ୍ତ ଲାଇସେନ୍ସଧାରୀ ଏବଂ ଦୋକାନ ପରିଚାଳକମାନଙ୍କୁ ଏହି ସରକାରୀ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହି ଆଦେଶର ଉଲ୍ଲଂଘନ କରି ବେଆଇନ ଭାବେ ମଦ ବିକ୍ରୟ କିମ୍ବା ପରିବେଷଣ କରନ୍ତି, ତେବେ ତାଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ ସବୁଠାରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।










