ଗଣପର୍ବ ନୂଆଖାଇ ପାଇଁ ଆଉ ମାତ୍ର କିଛି ଦିନ ବାକି । ଏଥିପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି ସମଗ୍ର ପଶ୍ଚିମ ଓଡ଼ିଶା। ଏହି କ୍ରମରେ ସୁନ୍ଦରଗଡ଼ରେ ମଧ୍ୟ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୬ ତାରିଖରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପୂରା ସୁନ୍ଦରଗଡ଼ରେ ଧୁମଧାମରେ ପାଳିତ ହେବ ନୂଆଖାଇ । ପଶ୍ଚିମ ଓଡ଼ିଶାର ପ୍ରାଣବିନ୍ଦୁ ତଥା କୃଷିଭିତ୍ତିକ ମହାନ ଗଣପର୍ବ ନୂଆଖାଇ ପାଇଁ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ସୁନ୍ଦରଗଡ଼ ସ୍ଥିତ ଐତିହାସିକ ଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ସମାଜର କର୍ମକାଣ୍ଡୀ ବ୍ରାହ୍ମଣମାନେ ଏକତ୍ରିତ ହୋଇ ପାରମ୍ପରିକ ରୀତିନୀତି ଅନୁଯାୟୀ ଲଗ୍ନ ନିରୂପଣ କରିଛନ୍ତି । ମା’ ସମଲେଶ୍ୱରୀଙ୍କ ରାଶି-ନକ୍ଷତ୍ର ବିଚାରକୁ ନେଇ ଏହି ଶୁଭ ମୁହୂର୍ତ୍ତ ସ୍ଥିର କରାଯାଇଛି । ନିର୍ଘଣ୍ଟ ଅନୁସାରେ, ଆସନ୍ତା ୧୬ ତାରିଖ ସକାଳ ୮ଟା ୫୬ରୁ ୯ଟା ୩୫ ମିନିଟ୍ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପୀଠରେ ନୂଆ ଧାନର ପ୍ରଥମ ଅନ୍ନ ବା ନବାନ୍ନ ଲାଗି କରାଯିବ । ଏହାପରେ ଦିନ ୧୦ଟାରୁ ୧୧ଟା ୨୦ ମିନିଟ୍ ଭିତରେ ସମଗ୍ର ସୁନ୍ଦରଗଡ଼ବାସୀ ନିଜ ନିଜ ଘରେ ଇଷ୍ଟଦେବତାଙ୍କୁ ନବାନ୍ନ ଅର୍ପଣ କରି ପରିବାର ସହ ନୂଆ ଖାଇବେ । ଲଗ୍ନ ଚୂଡ଼ାନ୍ତ ହେବା ପରେ ଏବେ ଜିଲ୍ଲାର ପୁରପଲ୍ଲୀରେ ନୂଆଖାଇକୁ ସ୍ୱାଗତ କରିବା ପାଇଁ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି ।










