କନ୍ଧମାଳ : ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଯାଇଥିବା ବେଳେ ଦୁଇଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରେଜୁ ନିକଟ କ୍ରାଣ୍ଡ୍ରିମାସ୍କା ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତ ଦୁଇ ଯୁବକ ସ୍ଥାନୀୟ ସୁଦ୍ରେଜୁ କ୍ରାଣ୍ଡ୍ରିମାସ୍କା ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ ହେଲେ ୩୦ ବର୍ଷୀୟ ଦିଗାମ୍ବର ମଲ୍ଲିକ ଏବଂ ୧୯ ବର୍ଷୀୟ ସଞ୍ଜୀବ ମଲ୍ଲିକ ।ସୂଚନା ଅନୁସାରେ, ଦୁଇ ଯୁବକ ବାଇକ୍ରେ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର୍ଦାର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । କେବଳ ଦୁଇ ଯୁବକ ନୁହେଁ, ଦୁର୍ଘଟଣାରେ ଦୁଇଟି ଗୋରୁ ମଧ୍ୟ ଗାଡ଼ି ଚଢ଼ିଯିବାରୁ ପ୍ରାଣ ହରାଇଛନ୍ତି । ଘଟଣା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଚାଲିଯାଇଥିବା ସୂଚନା ମିଳିଛି । ଖବର ପାଇ ଫୁଲବାଣୀ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ମୃତକଙ୍କ ମୃତଦେହ ଜବତ କରି ଫୁଲବାଣୀ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଅଜଣା ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି ।










