ବାରିପଦା : ବାରିପଦା ଟାଉନ୍ ଥାନାର ଜଣେ ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।ଅଭିଯୋଗ ଅନୁସାରେ, ବିବାହର ପ୍ରତିଶ୍ରୁତି ଦେଇ SI ପ୍ରଭାତ ନାୟକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ କିଛି ବ୍ୟକ୍ତି ନିଜକୁ ସମାଜସେବୀ ପରିଚୟ ଦେଇ ଉଭୟଙ୍କ ବିବାହ କରାଇଥିବା ମଧ୍ୟ ମହିଳା ଅଭିଯୋଗରେ ଦର୍ଶାଇଛନ୍ତି।
ତେବେ ବିବାହ ପରେ ମହିଳାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ସେ ମୟୂରଭଞ୍ଜ ଏସ୍ପିଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଇ SI ପ୍ରଭାତ ନାୟକଙ୍କୁ ଅଟକ ରଖାଯାଇଛି।ଏହି ଘଟଣାରେ SIଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମାମଲାରେ ଅଭିଯୋଗଗୁଡ଼ିକର ସତ୍ୟତା, ବିବାହର ପରିସ୍ଥିତି ଏବଂ ଅନ୍ୟମାନଙ୍କ ଭୂମିକା ସମ୍ପର୍କରେ ପୋଲିସ ତଦନ୍ତ କରୁଛି। ଘଟଣାକୁ ନେଇ ବାରିପଦା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସ୍ପଷ୍ଟ ହେବ।










