ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ‘ଗରିମା ଦିବସ’ ଭାବେ ପାଳିତ ହେବ। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି। ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗରିମା ଦିବସ ୨୦୨୬ ଅବସରରେ କହିଛନ୍ତି।ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଗରିମା ଦିବସ ଅବସରରେ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାର ବିଷୟବସ୍ତୁ ରହିଛି, Mission Zero-Ending Fatality in Sanitation Work ଅର୍ଥାତ୍, ମିଶନ୍ ଜିରୋ ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ । ଏହି କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି ।ସେ ଆହୁରି କହିଥିଲେ ଯେ, ଗରିମା ଦିବସ ପ୍ରତିବର୍ଷ ଆମକୁ ମନେ ପକାଇବ ଯେଉଁ ହାତ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବା ମଧ୍ୟ ଆମର ଦାୟିତ୍ୱ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସଫେଇ କର୍ମୀ ସ୍ୱର୍ଗତ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ ଏବଂ କହିଥିଲେ କ୍ଷତି ପୂରଣ ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଉଛି, ମୃତ୍ୟୁ ପରେ ସହାୟତା ନୁହେଁ, ମୃତ୍ୟୁ ପୂର୍ବରୁ ସୁରକ୍ଷା । ଦୁର୍ଘଟଣା ପରେ କ୍ଷତିପୂରଣ ନୁହେଁ, ଦୁର୍ଘଟଣା ପୂର୍ବରୁ ପ୍ରତିରୋଧ। ବିପଦପୂର୍ଣ୍ଣ କାର୍ଯ୍ୟରତ ଆମର ଏହି କର୍ମଯୋଗୀ ମାନଙ୍କ ଜୀବନ ସୁରକ୍ଷିତ ରହୁ । ଏହା ହିଁ ହେଉଛି ମିଶନ ଜିରୋର ଆଭିମୁଖ୍ୟ।










