ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ତାରାପୀଠରେ ଏକ ଘରୋଇ ହୋଟେଲରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ସାତ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ହୋଟେଲରେ ପ୍ରଥମେ ନିଆଁ ତଳମହଲାରୁ ଆରମ୍ଭ ହୋଇ ଦ୍ରୁତ ଗତିରେ ଚାରିମହଲା କୋଠାକୁ ବ୍ୟାପିଯାଇଥିଲା । ହୋଟେଲରେ ତାର୍ଥଯାତ୍ରୀମାନେ ଶୋଇଥିବା ସମୟରେ ଭୋର ପ୍ରାୟ ୪ଟା ୩୦ରେ ଅଗ୍ନିକାଣ୍ଡ ଘଟିଥିଲା । ଚାରିଆଡେ ନିଆଁ ବ୍ୟାପିବାରୁ ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ବଞ୍ଚିବା ପାଇ ଉପାୟ ଖୋଜୁଥିଲେ । ଚାରିଆଡେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ଅଗ୍ନିଶମକର୍ମଚାରୀ , ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିାଁକୁ ଆୟତ୍ତ କରିଥିଲେ । ଆହତମାନଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାମପୁରହାଟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥାଇପାରେ । କିନ୍ତୁ ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ । ଅଗ୍ନିକାଣ୍ଡର କାରଣ କଣ ହୋଇଥାଇପାରେ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହୋଟେଲର୍କର୍ତ୍ତୃପକ୍ଷ କ୍ଷୟକ୍ଷତିର ପରିମାଣ ଆକଳନ କରୁଛନ୍ତି । ଯେଉଁ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା ତାହାର ନାମ ‘ବିଦିଶିନି’। ତାରାପୀଠ ମନ୍ଦିର ନିକଟରେ ଅବସ୍ଥିତ, ଏଠାରେ ଭକ୍ତଙ୍କ ପ୍ରବଳ ଭିଡ ହୁଏ ଏବଂ ଅନେକ ଦର୍ଶନାର୍ଥୀ ସେଠାରେ ରୁହନ୍ତି। ମୃତକମାନେ ମଧ୍ୟ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ।ସେମାନେ ପୂର୍ବ ରାତିରେ ପହଞ୍ଚିଥିଲେ ଏବଂ ସୋମବାର ମନ୍ଦିର ପରିଦର୍ଶନ କରିବାକୁ ଯୋଜନା କରି ହୋଟେଲରେ ବିଶ୍ରାମ ନେଉଥିଲେ।










