ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ କଳାକାର’ ୱେବ୍ସାଇଟ (https://amakalakara.odisha.gov.in) ଉନ୍ମୋଚିତ ହୋଇଛି। ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ କରକମଳରେ ଏହି ୱେବ୍ସାଇଟ ଉନ୍ମୋଚିତ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ ଦଳଗୁଡ଼ିକୁ ନିୟୋଜନ କରି ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଏହାର ମୂଳ ଲକ୍ଷ୍ୟ। ‘ଆମ କଳାକାର’ ୱେବ୍ସାଇଟ କାର୍ଯ୍ୟକାରୀ ହେବା ଫଳରେ କାର୍ଯ୍ୟ ପ୍ରବାହ ସରଳ ହେବ। ଏହାକୁ ସୁବିଧାରେ ବ୍ୟବହାର କରାଯିବା ସହ ମୋବାଇଲ ଆଧାରିତ ଜିଓ ଟ୍ୟାଗିଙ୍ଗକୁ (Geo-Tagging) ନିରୀକ୍ଷଣ କରାଯାଇପାରିବ। ଏକ ସୁଦୃଢ଼ ଶୃଙ୍ଖଳିତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ। କଳା ପ୍ରଦର୍ଶନ ନିମନ୍ତେ ସାଂସ୍କୃତିକ ଦଳ ଗୁଡ଼ିକକୁ କାର୍ଯ୍ୟାଦେଶ ପ୍ରଦାନ କରିବା ଏବଂ ସେମାନଙ୍କର ନିୟୋଜନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ପାରଦର୍ଶିତା ଆସିବ।










