ଭଦ୍ରକ : ଲଗାଣ ବର୍ଷା ପରେ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଜାରି ରହିଛି । ତେବେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାରୁ ଆଶ୍ୱସ୍ତ ହୋଇଛି ପ୍ରଶାସନ । ବନ୍ୟାସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନଜରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାର ୪ଟି ବ୍ଲକରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି । ଭଦ୍ରକ, ତିହିଡି, ଧାମନଗର ଓ ଚାନ୍ଦବାଲି ବ୍ଲକର ମୋଟ ୨୦୫ ଟି ସ୍କୁଲ ବନ୍ଦ ରହିବ । ସେପରି ଏହି ୪ଟି ବ୍ଲକରେ ୨୬୫ଟି ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯାଇଛି । ଅନ୍ୟପଟେ ବୈତରଣୀ ନଦୀରେ ଆଖୁଆପଦା ଆନିକଟ ନିକଟରେ ବିପଦ ସଙ୍କେତ ୧୮.୩୩ ରହିଥିବା ବେଳେ ନଦୀ ଏବେ ୧୭.୫୨ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି । ଅର୍ଥାତ ବୈତରଣୀ ଏବେ ବିପଦସଙ୍କେତଠାରୁ ତଳେ ରହଛି । ସେହିପରି ରାଜଘାଟ ନିକଟରେ ସାଳନ୍ଦୀ ନଦୀରେ ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ଏହା ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ, ଓ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାୁଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ନଜର ରଖାଯାଇଛି । ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ଆଗାମୀ ବର୍ଷାକୁ ନେଇ ପ୍ରଶାସନ ସଜାଗ ରହିଛି ।










