ନୟାଗଡ: ନୟାଗଡ ଜିଲ୍ଲା ଭାପୁର ବ୍ଲକ କଇଁଫୁଲିଆ ଗ୍ରାମର ଲକ୍ଷ୍ମଣ ନାୟକ ୮୫ ବର୍ଷ । ସେ ଆଜି ସକାଳେ ଘର ନିକଟସ୍ଥ ମଠ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀକୁ ଯାଇ ଦେଖନ୍ତି କୂଳରେ ଚପଲ, ବାଙ୍କୁଲି ବାଡି ଏବଂ ଲୁଗାପଟା ଥୁଆ ହୋଇଛି । ଏହି ଘଟଣା ଦେଖି ପରିବାର ସଦସ୍ୟଙ୍କ ସନ୍ଦେହ ହେବାରୁ ଭାପୁର ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରେ ଖୋଜାଖୋଜି କରିବା ସମୟରେ ଲକ୍ଷ୍ମଣଙ୍କ ମୃତଦେହ ପାଣିରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ଖବର ପାଇ ଫତେଗଡ ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପୋଷ୍ଟମର୍ଟମ ପାଇଁ ଖଣ୍ଡପଡା ପଠାଇଥିବା ଜଣାପଡିଛି ।










