ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳରୁ ଆସିଛି ଛାତିଥରାଇ ଦେବା ଭଳି ଘଟଣା । ଶୌଚ ପାଇଁ ଯାଇଥିବା ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗୁରୁତର ଭାବେ ଜଳିଯାଇଥିବା ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ରାଉରକେଲା ଆର୍ଜିଏଚ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣାଟି ଲହୁଣିପଡ଼ା ଥାନା ଅଧୀନ ଗଣିଘଷା ଗ୍ରାମର । ଆହତ ଯୁବକ ହେଉଛନ୍ତି ୩୫ ବର୍ଷୀୟ କାନ୍ହୁ ମହାନ୍ତ। ସୂଚନା ଅନୁସାରେ, କାନ୍ହୁ ଶୌଚ ପାଇଁ ବାହାରକୁ ଯାଇଥିବା ସମୟରେ ଦୁଇଜଣ ବାଇକ୍ ଆରୋହୀ ତାଙ୍କ ନିକଟରେ ପହଞ୍ଚିଥିଲେ । ଅଭିଯୋଗ ଅନୁସାରେ, ବାଇକ୍ରେ ଆସିଥିବା ଦୁଇଜଣ ଯୁବକ କାନ୍ହୁଙ୍କ ଉପରେ ପେଟ୍ରୋଲ ଢାଳିଥିଲେ । ଏହାପରେ ଲାଇଟର ଜାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ନିଆଁରେ କାନ୍ହୁ ଗୁରୁତର ଭାବେ ଜଳିଯାଇଥିଲେ । ଘଟଣା ପରେ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ରାଉରକେଲା ଆର୍ଜିଏଚ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।










