ଚେନ୍ନାଇ: ଗିରଫ ହେବାର କିଛି ଘଣ୍ଟା ପରେ ଜାମିନରେ ବାହାରିଲେ ତାମିଲନାଡୁ ବିରୋଧୀ ଦଳ ନେତା ବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଏକ ଅଶୋଭନୀୟ ମନ୍ତବ୍ୟ ଦେଇଥିବାରୁ ଆଜି ତାମିଲନାଡୁ ପୋଲିସ ଉଦୟ ନିଧିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ମଧ୍ୟ ଆବେଦନ କରିଥିଲେ ଷ୍ଟାଲିନ । ଯାହାକି ପରବର୍ତ୍ତୀ ସମୟରେ ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ଉଦୟନିଧିଙ୍କୁ ଜାମିନରେ ମୁକ୍ତ କରିବାକୁ ତାମିଲନାଡୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ସୋମବାର ଏକ ରାଲି ସମୟରେ ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଷାଙ୍କୁ ନେଇ କିଛି ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବିବାଦ ସୃଷ୍ଟି ହୋଇଥିଲା। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଉଦୟନିଧିଙ୍କୁ ଘେରିଥିଲେ। ମଙ୍ଗଳବାର ସକାଳେ ପୋଲିସ ବିରୋଧୀ ଦଳ ନେତା ଉଦୟନିଧିଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିବା ପରେ ଚେନ୍ନାଇରେ ଉତ୍ତେଜନା ପ୍ରକାଶ ପାଇଛି।
ଅଭିନେତା ବିଜୟଙ୍କ ଦଳ TVK (ତାମିଲଗା ଭେଟ୍ରି କାଜଗାମ) ପକ୍ଷରୁ ଏହି ଘଟଣାକୁ କଡ଼ା ନିନ୍ଦା କରାଯାଇଛି। TVK ନେତା ଆମେରିକାଇ ନାରାୟଣନ କହିଛନ୍ତି ଯେ, “ଉଦୟନିଧିଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ କିମ୍ବା TVK ବିରୋଧରେ କହିଥିବା ଯୋଗୁଁ ଗିରଫ କରାଯାଇ ନାହିଁ, ବରଂ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।” ଏଥିସହ ସେ ରାଜନୈତିକ ପ୍ରତିଶୋଧ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି । ଏହି ଗିରଫଦାରୀ ପରେ ତାମିଲନାଡୁରେ ରାଜନୈତିକ ପରିସ୍ଥିତି ସରଗରମ ହୋଇଛି। ଉଦୟନିଧିଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସୂଚନା ମିଳିଛି ।









