ଭୁବନେଶ୍ୱର: ଗଭୀର ଅବପାତର ପ୍ରଭାବରେ ଓଡିଶାରେ ବର୍ଷାର ତାଣ୍ଡବ ଜାରି ରହିଛି । ଆଜି ରାଜ୍ୟର ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଓ ସଂଲଗ୍ନ ଛତିଶଗଡରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରୁଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ପାଗ ଅସ୍ଥିର ରହିଛି । ଆଜି ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସମେତ ଝଡ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛି । ଆଗାମୀ ୨୪ ଘଣ୍ଟା ପାଇଁ ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲ୍ଲୋ ୱାଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବଜ୍ରପାତ , ହାଲୁକାରୁ ମଧ୍ୟମ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବରିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବର୍ଷାର ପ୍ରକୋପ ସର୍ବାଧିକ ରହିଛି । ନୂଆପଡାର ସିନାପାଲି ଓ ବରଗଡର ପାଇକମାଲରେ ସର୍ବାଧିକ ୧୬ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ନୂଆପଡାର ଖଡିଆଳ ଓ ବୋଡେନରେ ୧୫ ସେଣ୍ଟିମିଟର ଏବଂ ନବରଙ୍ଗପୁରର ଝରିଗାଁ, ଉମରକୋଟ ସହ କଳାହାଣ୍ଡିର ଗୋଲାମୁଣ୍ଡାରେ ୧୩ ସେମି ବର୍ଷା ରେକର୍ଡ କରିଛି । ସେପଟେ ଦକ୍ଷିଣ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଏବଂ ଝଟକା ପବନର ବେଗ ୬୦ କିଲୋମିଟର ଯାଏଁ ଛୁଇଁପାରେ । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡିଶା ଉପକୂଳର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପାଣିପାଗ ବିଭାଗ କଡା ପରାମର୍ଶ ଦେଇଛି ।










