ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ପ୍ରାଣିପାଳକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ନମ୍ବର୍ ୭୨୦୫୫୯୮୧୨୫ ଜାରି କରାଯାଇଛି । ବନ୍ୟା ପରିସ୍ଥିତି ସମୟରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା, ଗୋ-ଖାଦ୍ୟ ଯୋଗାଣ ଓ ଚିକିତ୍ସା ସମ୍ବନ୍ଧୀୟ ସହାୟତା ପାଇଁ କଣ୍ଟ୍ରୋଲ ରୁମ୍ ନମ୍ବରରେ ସକାଳ ୮ରୁ ରାତି ୮ ମଧ୍ୟରେ ପ୍ରାଣିପାଳକମାନେ ଯୋଗାଯୋଗ କରିପାରିବେ । ବନ୍ୟାକୁ ଦୃଷ୍ଟିରେ ରଖି ପ୍ରାଣିସମ୍ପଦର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁତ୍ଵାରୋପ କରିଛନ୍ତି । ଚଳିତ ବନ୍ୟାରେ ମୋଟ ୯ଟି ଜିଲ୍ଲାର ୪୫ ଟି ବ୍ଲକ୍ ଅନ୍ତର୍ଗତ ୩୩୧ ଟି ଗ୍ରାମ ପଞ୍ଚାୟତର ୧୩୪୧ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ତା ମଧ୍ୟରେ ୪୮୮୮୬୮ ପ୍ରାଣୀ ପ୍ରଭାବିତ ହୋଇଛନ୍ତି । ଏହି ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ପାଇଁ ୫୮ ଟି ରାପିଡ୍ ରେସପନ୍ସ ଟିମ ମୁତୟନ କରାଯାଇଥିବା ବେଳେ ୨୪୫ ଟି ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରାଯାଇ ୧୫୧୭୯ ଟି ପ୍ରାଣୀଙ୍କର ଚିକିତ୍ସା କରାଯାଇଛି । ବନ୍ୟା ପୂର୍ବରୁ ୬୪୬୮୨୫ ଟି ଟିକା ଏବଂ ବନ୍ୟା ପରବର୍ତ୍ତୀ ସମୟରେ ୧୧୮୦୦ ଟି ଟିକା ଦିଆଯାଇଛି । ବନ୍ୟା ପ୍ରଭାବରେ ୫ ଟି ବଡ଼ ପ୍ରାଣୀ, ୧୨୦ ଟି ଛୋଟ ପ୍ରାଣୀ ଓ ୮୦୯୦୦ ଟି କୁକୁଡ଼ାଙ୍କର ମୃତ୍ୟୁ ଘଟିଛି । ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକୁ ୮୦୦ ମେଟ୍ରିକ ଟନ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭୩.୨ କ୍ଵିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ଵିଣ୍ଟାଲ ଶୁଖିଲା ଘାସ ଓ ନଡା ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ପ୍ରକାଶ କରିଛନ୍ତି ।










