ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (AAP)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ପର୍ଯ୍ୟନ୍ତ ୧୦୦ ଜଣଙ୍କୁ ନେଇ ମାର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ । ତେବେ ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି ଯେ ଏହି ମାର୍ଚ୍ଚ ପାଇଁ କୌଣସି ଅନୁମତି ମଗାଯାଇନି ଏବଂ ପୋଲିସ ମଧ୍ୟ କୌଣସି ଅନୁମୋଦନ ଦେଇନାହିଁ । ବର୍ତ୍ତମାନ ଦିଲ୍ଲୀରେ ବିଏନଏସର ଧାରା ୧୬୩ ଲାଗୁ ଥିବାରୁ ପିଏମ୍ ଆବାସ ଅଭିମୁଖେ କୌଣସି ମାର୍ଚ୍ଚକୁ ଅନୁମତି ଦିଆଯିବ ନାହିଁ ।ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଇ-୨୦ ପେଟ୍ରୋଲ ବିରୋଧରେ ଲୋକଙ୍କ ଦସ୍ତଖତ ଥିବା ଆବେଦନପତ୍ର ସେ ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବାକୁ ଚାହୁଁଛନ୍ତି । ତାଙ୍କ ଅଭିଯୋଗ ହେଉଛି, ଆମେରିକାରୁ ଇଥାନଲ ଆମଦାନି ପାଇଁ କେନ୍ଦ୍ର ସରକାର ଇ-୨୦ ପେଟ୍ରୋଲକୁ ଲୋକଙ୍କ ଉପରେ ଲାଗୁ କରୁଛନ୍ତି । ଏହା ଯୋଗୁଁ ଗାଡ଼ି ଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ସରକାର ନୀତିରେ ପରିବର୍ତ୍ତନ ଆଣୁନଥିବା ବୋଲି ସେ ଦାବି କରିଛନ୍ତି ।










