28.9 C
Bhubaneswar
Friday, July 31, 2026
Homeଓଡିଶାସନ୍ଥଙ୍କ ଜନ୍ମସ୍ଥାନ କାଶୀରୁ ମୃତିକା କଳସ ଆସି ଭୁବନେଶ୍ୱରରେ ପହଁଚିବା ପରେ ବିଜେପିର ଭବ୍ୟ ସ୍ୱାଗତ,...

ସନ୍ଥଙ୍କ ଜନ୍ମସ୍ଥାନ କାଶୀରୁ ମୃତିକା କଳସ ଆସି ଭୁବନେଶ୍ୱରରେ ପହଁଚିବା ପରେ ବିଜେପିର ଭବ୍ୟ ସ୍ୱାଗତ, ଶୋଭାଯାତ୍ରା

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସ ମହାରାଜଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ୨୯ ଜୁଲାଇ ୨୦୨୬ (ଗୁରୁପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ ୨୦୨୭ (ଶ୍ରୀ ଗୁରୁ ରବିଦାସ ମହାରାଜ ଜୟନ୍ତୀ) ପର୍ଯ୍ୟନ୍ତ “ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜ ସମରସ ସଂକଳ୍ପ ଅଭିଯାନ’ ଦେଶବ୍ୟାପୀ ପାଳନ କରାଯାଉଛି । ଗୁରୁ ଶ୍ରୀ ରବି ଦାସଜୀଙ୍କ ଜନ୍ମସ୍ଥଳୀ ବାରଣାସୀ କାଶୀରୁ ଏହି ଅଭିଯାନ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ତାଙ୍କ ଜନ୍ମସ୍ଥାନ ବାରଣାସୀ କାଶୀରୁ ପବିତ୍ର ମୃତିକାକୁ କଳସରେ ସଂଗ୍ରହ କରାଯାଇ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଓଡିଶାରୁ ଯାଇଥିବା ପ୍ରତିନିଧିଦଳ ଏହି ପବିତ୍ର କଳସକୁ ଆଣି ଆଜି ଭୁବନେଶ୍ୱର ରେଳଷ୍ଟେସନରେ ପହଁଚିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଏସ୍‌ସି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଶାନ୍ତ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ମେହେର, ଏମ୍‌ପି ଡ. ରବି ନାରାୟଣ ବେହେରା, ଏସ୍‌ସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମନିଜର ଆର୍ଯ୍ୟ, ଶ୍ରୀ ଚନ୍ଦନ ସ୍ୱରାଜ, ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଳିକ, ରାଜ୍ୟ ପ୍ରବକ୍ତା ଶ୍ରୀ ଲକ୍ଷ୍ମଣ ପଣ୍ଡା, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଶିବ ମଲ୍ଲିକ, ଏସ୍‌ସି ମୋର୍ଚ୍ଚା ସମ୍ପାଦକ ଶ୍ରୀ ହରିହର ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ । ରେଳ ଷ୍ଟେସନ୍‌ରେ ପ୍ରତିନିଧି ମଣ୍ଡଳୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ଏକ ବିରାଟ ଶୋଭାଯାତ୍ରାରେ ଉକ୍ତ କଳସକୁ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା । ପୂଜାର୍ଚ୍ଚନା ପରେ ଉକ୍ତ କଳସକୁ ମନ୍ଦିରରେ ରଖାଯାଇଛି । ଅଗଷ୍ଟ ୯ ତାରିଖରେ ଏକ ଭବ୍ୟ ସମାରୋହରେ କାର୍ଯ୍ୟକର୍ତାମାନଙ୍କ ଜରିଆରେ ବିଜେପିର ୩୭ଟି ସାଂଗଠନିକ ଜିଲ୍ଲାରୁ ଏଭଳି ମହାପୁରଷମାନଙ୍କ ଜନ୍ମସ୍ଥାନରୁ ମାଟି ଅଣାଯାଇ ଏହି ପବିତ୍ର ମୃତିକାରେ ମିଶାଯିବା ପରେ ତାହାକୁ ୩୭ଟି ପୃଥକ୍ କଳସରେ ବଂଟନ କରାଯିବ । ସେହି ମାଟିକୁ ବିଭିନ୍ନ କଳସରେ ଭରି ଜିଲ୍ଲାର ସବୁ ମଣ୍ଡଳକୁ ନିଆଯିବ । ସେଠାରୁ ପ୍ରତ୍ୟେକ ଗ୍ରାମପଂଚାୟତକୁ ଓ ଗ୍ରାମ ପଂଚାୟତରୁ ପ୍ରତ୍ୟେକ ଗ୍ରାମକୁ ଏହି ପବିତ୍ର କଳସ ବଂଟନ କରାଯିବ । ଯେଉଁଠାରେ ଏହି ପବିତ୍ର ମୃତିକା କଳସ ରଖାଯିବ ଓ ଯେଉଁଠାରେ ପହଁଚିବ ସେହି ସ୍ଥାନରେ ବୃକ୍ଷରୋପଣ କରାଯିବ । ଏହି ଅଭିଯାନ ଅଧୀନରେ ବିଭିନ୍ନ ଧାର୍ମିକ, ସାମାଜିକ, ସାଂସ୍କୃତିକ ଏବଂ ଜନସମ୍ପର୍କମୂଳକ କାର୍ଯ୍ୟକ୍ରମ କରାଯିବ । ଏଥିରେ ବହୁ ସଂଖ୍ୟାରେ ସାଧୁ ସନ୍ଥମାନେ ସାମିଲ ହେବେ । ଏହି ଅବସରରେ ଶ୍ରୀ ଗୁରୁ ରବିଦାସ ମହାରାଜଙ୍କ ଜୀବନ, ଦର୍ଶନ, ସମାନତା, ଭକ୍ତି, ସେବା, ସାମାଜିକ ନ୍ୟାୟ ଓ ମାନବତାର ବାର୍ତାକୁ ସମଗ୍ର ଦେଶରେ ବ୍ୟାପକ ଭାବେ ପ୍ରଚାର କରାଯିବା ପାଇଁ ବିଜେପି ପକ୍ଷରୁ ସ୍ଥିର କରାଯାଇଛି ।
ଆଧ୍ୟାତ୍ମିକବାଦୀ କବି ସନ୍ଥ ଶିରୋମଣି ଗୁରୁ ରବି ଦାସ ଜଣେ ମହାନ ସନ୍ଥ ଓ କବି ଥିଲେ । ଏଥିସହ ସେ ଜଣେ ସମାଜ ସଂସ୍କାରକ ଏବଂ ଭଗବାନଙ୍କ ଅନୁଗାମୀ ଥିଲେ । ସମାଜରୁ ଅସ୍ପୁଶ୍ୟତା, ଉଚ୍ଚନୀଚ୍ଚ ଭେଦଭାବ, ଛୁଆଁ, ଅଛୁଆଁ ଆଦି ଦୂର କରିବା ପାଇଁ ସେ ନିରନ୍ତର ଉଦ୍ୟମ କରୁଥିଲେ । ସେ ୧୫ରୁ ୧୬ତମ ଶତାଦ୍ଦୀର ଜାତିଭେଦ ଭାବ ମୁକ୍ତ ସମାଜର ପ୍ରତୀକ ଥିଲେ । ଆଧ୍ୟାତ୍ମିକ ଏବଂ ଭକ୍ତି ମାର୍ଗରେ ଚାଲିବା ସମୟରେ ସନ୍ଥ ରବି ଦାସ କର୍ମ ଉପରେ ଗୁରୁତ୍ୱ ଦେଉଥିଲେ । ତାଙ୍କ ନୀତି ଓ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ଏହି ଶୋଭାଯାତ୍ରାରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ)ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ବାଇଧର ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ସୁଶ୍ରୀ ମଧୁସ୍ମିତା ବଳିଆରସିଂ, ଭୁବନେଶ୍ୱର ସାଙ୍ଗଠାନିକ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking