28.9 C
Bhubaneswar
Friday, July 31, 2026
Homeଓଡିଶାଏହି ସରକାର ପଞ୍ଚତାରକା ସଂସ୍କୃତିର ସରକାର : ଭକ୍ତ

ଏହି ସରକାର ପଞ୍ଚତାରକା ସଂସ୍କୃତିର ସରକାର : ଭକ୍ତ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବନ୍ୟା ବିଭୀଷିକା ଏବଂ ଏଥିପ୍ରତି ସରକାରଙ୍କ ଉଦାସୀନତାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କ ଉଦାସୀନତାକୁ ଭର୍ଶନା କରି କହିଛନ୍ତି ଯେ, ବନ୍ୟା ବିଭୀଷିକାର ଅନ୍ୟ ଏକ ମୁଖ୍ୟ କାରଣ ହେଲା ନଦୀମାନଙ୍କ ମୁହାଣ ପୋତି ହୋଇଯିବା l ବିଗତ ସରକାର କିମ୍ବା ଏହି ସରକାର ଏହା ଉପରେ ପର୍ଯ୍ୟବେକ୍ଷଣ କରି ନାହାନ୍ତି l ବର୍ଷରୁତୁ ପ୍ରାରମ୍ଭରେ ଆସନ୍ନ ବନ୍ୟା ପାଇଁ ପ୍ରସ୍ତୁତି ବୈଠକ ବସେ ଓ ନିଜେ ମୁଖ୍ୟମନ୍ତ୍ରୀ ଏଥିରେ ବସନ୍ତି କିନ୍ତୁ କୌଣସି ଗୋଟିଏ ବି ବୈଠକ ବସିଲାନାହିଁ l ବନ୍ୟା ଯୋଗୁଁ ଧନ ଜୀବନ, ହଜାର ହଜାର କୋଟି ଟଙ୍କା ନଷ୍ଟ ହୁଏ ପୁଣି ବନ୍ୟା ପରେ ପୁନଃନିର୍ମାଣ ପାଇଁ ଗୁଡ଼ାଏ ଅର୍ଥ ଖର୍ଚ୍ଚ ହୁଏ l କିନ୍ତୁ ଏହି ସରକାରରେ ବନ୍ୟା ନିୟନ୍ତ୍ରଣ ନୀତି ଅବହେଳିତ l ଆଧୁନିକ ଯୁଗରେ କେବେ ଓ କେତେ ବର୍ଷା ହେବ, ଉପର ମୁଣ୍ଡରୁ କେତେ ପାଣି ଆସିବ ଆଦି ଆଗରୁ ଜଣା ପଡିଯାଉଛି l ତଥାପି ଏମାନେ ନିୟନ୍ତ୍ରଣ କରିପାରୁ ନାହାନ୍ତି l ରାଜ୍ୟରେ ସର୍ବମୋଟ 13 ଗୋଟି ଜିଲ୍ଲାର 100 ଗୋଟି ବ୍ଲକ ବନ୍ୟା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ l ବର୍ତ୍ତମାନ ପର୍ଯ୍ୟନ୍ତ 7 ଜଣଙ୍କ ମୃତ୍ୟୁ ଓ 5 ଜଣ ନିଖୋଜ ଅଛନ୍ତି l କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ ଜଗତସିଂହପୁର ସବୁଠୁ ବେଶୀ ପ୍ରଭାବିତ l ଉତ୍ତର ଓଡ଼ିଶାରେ ବନ୍ୟା ପାଣି କମୁନାହିଁ, 21 ଲକ୍ଷ ଲୋକ ପ୍ରଭାବିତ ଓ 10 ଟି ଜିଲାରେ ସ୍କୁଲ ବନ୍ଦ ଅଛି l ସରକାର ବିଲକୁଲ ତତ୍ପର ନୁହେଁ l ପ୍ରଶାସନ ଶୋଇପଡିଛି l ଏହି ସରକାର ପଞ୍ଚତାରକା ସଂସ୍କୃତିର ସରକାର l ଏମାନେ ଉତ୍ସବ ମନାନ୍ତି, ଗରିବକୁ ପରିହାସ କରି କୋଟି କୋଟି ଟଙ୍କାର ପଖାଳ ଖାଆନ୍ତି l ଯେଉଁମାନେ ଓଡ଼ିଶାରେ ରହି ପ୍ରତି ମିନିଟ ମନିଟର କରିବା କଥା ସେମାନେ ଦିଲ୍ଲୀରେ ଭୋଜିଭାତ କରୁଛନ୍ତି l ଗିରିଧାରୀ ଗୋମାଙ୍ଗଙ୍କୁ ବଦନାମ କରାଯାଉଥିଲା l ମହାବାତ୍ୟା ବେଳେ ପାଦରେ ଚାଲି ଚାଲି ଲୋକଙ୍କ ଦୁଃଖ ଦୁର୍ଦଶା ବୁଝୁଥିଲେ l କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କରୁଛନ୍ତି କଣ ? କୋଣସି ଅପକର୍ମ ପାଇଁ ଏମାନେ ଲଜ୍ଜିତ, ଅନୁତପ୍ତ ହେଉନାହାନ୍ତି l ଯାହାର ମୁହଁରେ ଲଜ୍ୟା ନାହିଁ ତାକୁ ଆମେ କଣ କହିବା ବୋଲି ଶ୍ରୀ ଦାସ ପ୍ରଶ୍ନ ପଚାରିଛନ୍ତି l

ସରକାରୀ ଦଳର ସାଂସଦକୁ କହିଛନ୍ତି ଯେ ଯଦି ମଣିଷ ପଣିଆ ଅଛି ତେବେ ତୁରନ୍ତ ଦିଲ୍ଲୀରୁ ପଲ୍ଲୀ ଆସନ୍ତୁ l ସରକାରଙ୍କ ବନ୍ୟାଗ୍ରସ୍ତ ରାଜ୍ୟ ପ୍ରତି ଏଭଳି ଅବହେଳା ପାଇଁ କଂଗ୍ରେସ ନିନ୍ଦା କରିବା ସହ ଲୋକଙ୍କ ପାଖରେ ଶୀଘ୍ର ସମସ୍ତ ସହାୟତା ପହଞ୍ଚୁ ବୋଲି ଶ୍ରୀ ଦାସ ଦାବୀ କରିଛନ୍ତି l ଓପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ କହିଛନ୍ତି, ମୁଁ ଯେଉଁ ଅଞ୍ଚଳରୁ ଆସିଛି, ସେଇ ଅଞ୍ଚଳ ମହାନଦୀର କରାଳ ଗର୍ଭରେ ବର୍ତମାନ ଅଛି l କାଲି ମୁଣ୍ଡଳୀରୁ 850 ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା l ବାଙ୍କୀର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି l କଟକ, ଭୁବନେଶ୍ୱର, ଅନୁଗୁଳ ଆଦି ସହରକୁ ବାଙ୍କୀରୁ ପରିବା ଯାଏ l କିନ୍ତୁ ଚାଷୀ ବର୍ତ୍ତମାନ ହା, ହତାଶରେ ବସିଛି l ହୀରାକୁଦକୁ 3.63 ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ 63 ହଜାର କ୍ୟୁସେକ ନିଷ୍କାସିତ ହେଉଛି କିନ୍ତୁ ପରେ ଯେଉଁ ନଦୀ ମହାନଦୀରେ ମିଶୁଛନ୍ତି ଯଥା ତେଲ ନଦୀ ସେଇ ନଦୀଗୁଡିକରୁ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇ ତଳ ଅଞ୍ଚଳରେ ବନ୍ୟା ସୃଷ୍ଟି କରୁଛି l ଫଳରେ ଦଶପଲ୍ଲା, ଖଣ୍ଡପଡା, ବାଙ୍କୀର ବିଳିପଡା, ତାଳବଣ୍ଡା ରୋଡ଼, ହୁଳୁହୁଳା, ଗୋଷ୍ଟିଆ ଫୁଲବାଣୀ ଆଦି ପଞ୍ଚାୟତ ମାନଙ୍କରେ ରାସ୍ତା ଉପରେ ପାଣି ଯାଉଛି l ବନ୍ୟାହୋଇ ଗାଁ ଗଣ୍ଡା ଜଳ ପ୍ଲାବିତ ହେବା ଅନ୍ୟ ଏକ କାରଣ ହେଉଛି l ନଦୀକୁ ନିଷ୍କାସିତ ହେଉଥିବା ଅଞ୍ଚଳରେ ଜମି ମାଫିଆଙ୍କ ଜମି କବ୍ଜା l ବର୍ତ୍ତମାନ ଉପକୂଳ ଅଞ୍ଚଳରେ ବନ୍ୟା ବିତ୍ପାତ ବୃଦ୍ଧି ପାଇଛି l ଲୋକେ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ ଦିଲ୍ଲୀରେ ସରକାରୀ ଦଳର ନେତାଗଣ ଭୋଜିଭାତରେ ବ୍ୟସ୍ତ l ମୁଖ୍ୟମନ୍ତ୍ରୀ, ଦଳର ସଭାପତି ଓ ସମସ୍ତ ସାଂସଦ ଭୋଜିରେ ଉପସ୍ଥିତ ଥିଲେ l ସରକାର ପ୍ରକୃତରେ ବନ୍ୟା ନିରାକରଣ ଜାଣି ନାହାନ୍ତି ଏବଂ ଜାଣିବାକୁ ମଧ୍ୟ ଚାହୁଁନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking