28.3 C
Bhubaneswar
Thursday, July 30, 2026
Homeଓଡିଶାସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କର ଉନ୍ନତି ପାଇଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ: ବାଚସ୍ପତି

ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କର ଉନ୍ନତି ପାଇଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ: ବାଚସ୍ପତି

ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ବିକାଶ ଉପରେ ଗୁରୁତ୍ୱରୋପ
ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କର ଉନ୍ନତି ପାଇଁ ଗଠିତ ବିଧାନସଭା ଗୃହକମିଟିର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ବିଧାନସଭାରେ ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କର ଉନ୍ନତି ପାଇଁ ଗଠିତ ଗୃହକମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେସବୁ ଅଞ୍ଚଳରେ ଥିବା ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତିକରଣ, ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ ଆଦି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଓଡ଼ିଆ ଭାଷା ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେଉଥିବାବେଳେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ସ୍ୱତନ୍ତ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଉପରେ ବାଚସ୍ପତି ଗୁରୁତ୍ୱ ଦେଇଥିଲେ।

ଉପବାଚସ୍ପତି ଶ୍ରୀ ଭାବନୀଶଙ୍କର ଭୋଇ ବିଭାଗୀୟ ଅଧିକାରୀମାନଙ୍କୁ ଏହିସବୁ ଅଞ୍ଚଳକୁ ନିୟମିତ ଗସ୍ତ କରିବାକୁ ପରାମର୍ଶ ଦେବା ସହ ସ୍ଥାନୀୟ ଅଧିକାରୀମାନଙ୍କ ସହ ସମନ୍ୱୟ ରଖି ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାରପ୍ରସାର ଦିଗରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରସ୍ତାବ ଓ ତଥ୍ୟ ଉପସ୍ଥାପନ କରିଥିଲେ । ଏଥିରେ ଷଢ଼େଇକଳା, ଖରସୁଆଁ, ସିଂହଭୂମ, ମେଦିନପୁର ଓ ମଞ୍ଜୁଷା ଭଳି ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ସୁଧାର ନେଇ ଆଲୋଚନା ହୋଇଥିଲା । ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିୟମିତ ଭାବେ ଏହିସବୁ ଅଞ୍ଚଳକୁ ଉତ୍କଳ ପ୍ରସଙ୍ଗ, ପ୍ରଗତି ପ୍ରବାହ ପଠାଯାଉଥିବାବେଳେ ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳର ଐତିହ୍ୟ, କଳା, ସଂସ୍କୃତିର ସୁରକ୍ଷା ତଥା ପ୍ରଚାରପ୍ରସାର ପାଇଁ ଅଧିକ ଆର୍ଥିକ ସହାୟତାର ପ୍ରସ୍ତାବ ଦିଆଯାଇଥିବାବେଳେ ଏହିସବୁ ଅଞ୍ଚଳର ପାଠାଗାରକୁ ଓଡ଼ିଆ ପୁସ୍ତକ ପଠାଇବା ପାଇଁ ଅଗ୍ରାଧିକାର ଦିଆଯାଉଛି ।

ବୈଠକରେ ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ଦ୍ୟାନସାମନ୍ତରାୟ, ଶ୍ରୀ ଫକୀର ନାୟକ, ଶ୍ରୀ ଗୌତମବୁଦ୍ଧ ଦାସ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଗୌରୀଶଙ୍କର ମାଝୀ, ଶ୍ରୀ ନରସିଂହ ମାଡକାମି, ଶ୍ରୀ ଦୁର୍ଗାଚରଣ ତନ୍ତି, ଶ୍ରୀ ରଘୁରାମ ମାଛଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ତିରୁମାଲ୍ଲା ନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଅନନ୍ୟା ଦାସ, ମଧୁସ୍ମିତା ସାହୁ, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାସ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking