ନୂଆଦିଲ୍ଲୀ: ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ । ୨୦୨୬ FIH ହକି ବିଶ୍ୱକପ୍ ପୂର୍ବରୁ ହକି ଇଣ୍ଡିଆ ପୁରୁଣା ନୀଳ ଜର୍ସି ବଦଳରେ ପ୍ରମୁଖ ଜର୍ସି ଭାବେ ଗେରୁଆ ରଙ୍ଗର ଜର୍ସି ଉନ୍ମୋଚନ କରିଛି । ଏହି ପଦକ୍ଷେପକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ଓ ଅଲିମ୍ପିଆନ୍ ବିରେନ୍ ରସ୍କୁଇନା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରେନ୍ ରସ୍କୁଇନା କହିଛନ୍ତି, ଭାରତୀୟ ହକିର ପରିଚୟ ବର୍ଷ ବର୍ଷ ଧରି ନୀଳ ଜର୍ସି ସହ ଜଡ଼ିତ ରହିଛି । ତେଣୁ ବିଶ୍ୱକପ୍ ପରି ବଡ଼ ମଞ୍ଚ ପୂର୍ବରୁ ହଠାତ୍ ଏଭଳି ରଙ୍ଗ ପରିବର୍ତ୍ତନର ଯୁକ୍ତି କଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।ତାଙ୍କ ମତରେ, ଦଳର ପାରମ୍ପରିକ ପରିଚୟକୁ ବଜାୟ ରଖିବା ଉଚିତ୍ । ଅନ୍ୟପଟେ, ହକି ଇଣ୍ଡିଆ ପକ୍ଷରୁ ୨୦୨୬ ବିଶ୍ୱକପ୍ ପାଇଁ ଏହି ନୂଆ କିଟ୍କୁ ଉନ୍ମୋଚନ କରାଯାଇଛି । ଭାରତୀୟ ପୁରୁଷ ଓ ମହିଳା ଦଳ ନେଦରଲ୍ୟାଣ୍ଡ ଓ ବେଲଜିୟମରେ ହେବାକୁ ଥିବା ବିଶ୍ୱକପ୍ରେ ଏହି ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ । ସୋସିଆଲ୍ ମିଡିଆରେ ମଧ୍ୟ ଏହି ଜର୍ସିକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି । କେତେକ ପ୍ରଶଂସକ ନୂଆ ଡିଜାଇନ୍କୁ ସ୍ୱାଗତ କରିଥିବା ବେଳେ, ଆଉ କେତେକ ଭାରତୀୟ ହକିର ପାରମ୍ପରିକ ନୀଳ ଜର୍ସିକୁ ବଜାୟ ରଖିବା ସପକ୍ଷରେ ମତ ରଖିଛନ୍ତି । ଫଳରେ ବିଶ୍ୱକପ୍ ପୂର୍ବରୁ ଟିମ୍ର ପ୍ରଦର୍ଶନ ଠାରୁ ଅଧିକ ଜର୍ସିର ରଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି ।










