ଢେଙ୍କାନାଳ: ଲଗାଣ ବର୍ଷା କାରଣରୁ ଫୁଲୁଛି ପୂର୍ଣ୍ଣଗର୍ଭା ବ୍ରାହ୍ମଣୀ । ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଜମୁନାକୋଟ ପଞ୍ଚାୟତର କୃଷ୍ଣପୁର ଗ୍ରାମ ଏବେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଛି । ବ୍ରାହ୍ମଣୀର ଶାଖା ନଦୀ ରାମିଆଳ ମଧ୍ୟ ଉଗ୍ରରୂପ ଧାରଣ କରିଥିବାରୁ ଗ୍ରାମ ଚାରିପଟେ ପ୍ରାୟ ୪ ରୁ ୫ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଗ୍ରାମର ପ୍ରାୟ ୧୦୦୦ରୁ ଅଧିକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିବା ସହ ଭୟଭୀତ ହୋଇପଡ଼ିଛନ୍ତି ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଉତ୍ପତ୍ତି ଦିନଠାରୁ ପ୍ରତିବର୍ଷ ବର୍ଷା ଋତୁ ଆସିଲେ ସେମାନଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାଏ। ବାରମ୍ବାର ପ୍ରଶାସନ ଓ ସରକାରଙ୍କ ନିକଟରେ ଗୁହାରି କଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ବନ୍ୟା ପାଣି ମାଡ଼ିଯିବା ଫଳରେ ଶହ ଶହ ହେକ୍ଟର ଚାଷଜମି ବୁଡ଼ି ରହିଛି, ଯାହା ଚାଷୀମାନଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ପ୍ରତିବର୍ଷ ବର୍ଷା ଦିନେ ଅନେକ ଗ୍ରାମବାସୀ ଭୟରେ ଗାଁ ଛାଡ଼ି ନିଜ ସମ୍ପର୍କୀୟଙ୍କ ଘରକୁ ପଳାଉଥିବା ବେଳେ ଯେଉଁମାନେ ଗ୍ରାମରେ ରହୁଛନ୍ତି, ସେମାନେ ପ୍ରତି ମୁହୂର୍ତ୍ତରେ ଆତଙ୍କିତ ହୋଇ ରହୁଛନ୍ତି। ବର୍ତ୍ତମାନ ପାଣିର ସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପ୍ରଶାସନ ତୁରନ୍ତ ଏହି ଗ୍ରାମବାସୀଙ୍କୁ ସାହାଯ୍ୟ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।










