କଟକ : ମୋବାଇଲ୍ ଦେଖିବାକୁ ବାରଣ କରିବାରୁ ନାବାଳକ ପୁଅ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ, ପୁଅର ମୃତ୍ୟୁ ଖବର ସହିନପାରି ମା’ ମଧ୍ୟ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା କଟକ ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଅଞ୍ଚଳରେ ଘଟିଛି ।
ସୂଚନା ଅନୁସାରେ, ତ୍ରିଲୋଚନପୁର ଅଞ୍ଚଳର ଜଣେ ନାବାଳକ ପାଗା ଅଞ୍ଚଳର ଏକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ପାଠପଢ଼ାରେ ଧ୍ୟାନ ନଦେଇ ମୋବାଇଲ୍ରେ ଗେମ୍ ଖେଳୁଥିଲେ। ପୁଅର ଏହି ମୋବାଇଲ୍ ନିଶାକୁ ନେଇ ମା’ ବାରମ୍ବାର ତାଙ୍କୁ ବାରଣ କରିଥିଲେ। ଗତକାଲି ମା’ ପୁଅ ଠାରୁ ମୋବାଇଲ୍ ଛଡ଼ାଇ ନେଇ ପାଖରେ ରଖିଦେଇଥିଲେ। ଏଥିରେ ଅଭିମାନ କରି ନାବାଳକ ଜଣକ ଘରେ ଚାଉଳରେ ପକାଇବା ପାଇଁ ରଖାଯାଇଥିବା କୀଟନାଶକ ଔଷଧ ପିଇ ଦେଇଥିଲେ ।
ନାବାଳକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ (SCB)ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ଖବର ପାଇ ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ମାନସିକ ଭାରସାମ୍ୟ ହରାଇ ନିଜେ ମଧ୍ୟ ବିଷ ପିଇ ଦେଇଥିଲେ। ବର୍ତ୍ତମାନ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ଜଗତପୁରର ଏକ ଘରୋଇ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକର ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୋଲିସ କହିବା ଅନୁସାରେ, ମୋବାଇଲ୍ ବ୍ୟବହାରକୁ ନେଇ ମା’ ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ପୁଅ ଏଭଳି ଚରମ ନିଷ୍ପତ୍ତି ନେଇଥିଲା ।










