ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକର କୁଲା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ଘଟଣା । ସାପ କାମୁଡାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ଦୁଷ୍ମନ୍ତ ନାୟକ । ସେ ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢୁଥଲେ ।ସୂଚନା ଅନୁଯାୟୀ, ଦୁଷ୍ମନ୍ତଙ୍କୁ ସାପ କାମୁଡିବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅକାଳ ମୃତ୍ୟୁ ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ , ସାପ କାମୁଡା ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ସ୍ଥାନୀୟ ଲୋକେ ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।










